ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜଧାନୀରେ ଚଳିତବର୍ଷ ଶାନ୍ତିଶୃଙ୍ଖଳାର ସହ ସୁରକ୍ଷିତ ଦୁର୍ଗାପୂଜା ଆୟୋଜନ କରିବାକୁ ସଭିଏଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ କମିଶନରେଟ୍ ପୋଲିସ ମଧ୍ୟ ସବୁ ଦିଗକୁ ନେଇ ପ୍ରୟାସ ଆରମ୍ଭ କରିଛି । କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ଏନେଇ ଆଜି (ଗୁରୁବାର) ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣ ଉତ୍ସବକୁ ସୁରୁଖୁରୁରେ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା । ବିଶେଷ କରି ଚଳିତ ବର୍ଷ ମଧ୍ୟ ବିନା ଡିଜେରେ ଭଷାଣୀ କରିବାକୁ ପୂଜା କମିଟି ପକ୍ଷରୁ ସହମତି ମିଳିଛି ।
ପ୍ରସ୍ତୁ୍ତି ବୈଠକରେ ବିଭିନ୍ନ ସମସ୍ୟା ନେଇ କମିଟି କର୍ତ୍ତୃପକ୍ଷମାନେ ଅଭିଯୋଗ କରିଥିବା ବେଳେ ପୂଜା ପୂର୍ବରୁ ଏଗୁଡ଼ିକର ସମାଧାନ ପାଇଁ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ପ୍ରତିଶ୍ରୁତି ଦେଇଛନ୍ତି । ସବୁଥର ଭଳି ଏଥର ଦୁର୍ଗାପୂଜାରେ ଡିଜେ, ଲେଜର ଲାଇଟକୁ ନିଷିଦ୍ଧ କରାଯାଇଥିବା ବେଳେ ମେଲୋଡିରେ ଅଶ୍ଳୀଳତା ପ୍ରଦର୍ଶନ କରାଯିବ ନାହିଁ ବୋଲି ନିଷ୍ପରି ହୋଇଛି । ତେବେ ଏଥର ଅକ୍ଟୋବର ୨୨ ତାରିଖରେ ଭସାଣ ଉତ୍ସବ କରିବାକୁ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ମଧ୍ୟ ହୋଇଛି ।
ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ବିଭିନ୍ନ ଥାନା ଅଧିକାରୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂଜା କମିଟି ଓ ଭସାଣ କମିଟି କର୍ତ୍ତୃପକ୍ଷ, ବିଏମ୍ସି, ଅଗ୍ନିଶମ, ଟିପିସିଓଡିଲଏଲ ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏଥର ରାଜଧାନୀରେ ୨୦୦ରୁ ଅଧିକ ମେଢ଼ ହେବାକୁ ଥିବାବେଳେ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣ ଉତ୍ସବକୁ ସୁରକ୍ଷିତ ଭାବେ ପାଳିବାକୁ ବିଭିନ୍ନ ପଦକ୍ଷେପ ନେଇ ନିଷ୍ପତ୍ତି ହୋଇଛି ।
ପୂଜା କମିଟି କର୍ମକର୍ତ୍ତା ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ସମାଧାନ କରିବାକୁ ଯୁକ୍ତି ବାଢ଼ିଥିଲେ । ବିଶେଷ କରି ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାକୁ ଯଥାଶୀଘ୍ର ମରାମତି କରିବାକୁ ଦାବି ହୋଇଥିଲା । ସେହିପରି ଗଛ ଡାଳ କାଟିବା, ସୁନା ଅଳଙ୍କାର ସୁସଜ୍ଜିତ ମେଢ଼ରେ ବନ୍ଧୁକଧାରୀ ପୋଲିସ ମୁତୟନ, ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ, ଅଭ୍ୟାସଗତ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ଜଳ ଯୋଗାଣ ବିଦ୍ୟୁତ ଯୋଗାଣ ଆଦିକୁ ନେଇ ଦାବି କରାଯାଇଥିଲା । ତେବେ ପୂଜାରେ କମିଶନରେଟ୍ ପୋଲିସ ଅନ୍ୟ ବିଭାଗ ସହ ଆଲୋଚନା କରି ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।
ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଇଥିବାବେଳେ ପୁଜା ପେଣ୍ଡାଲ ଓ ଆଖପାଖ ଅଞ୍ଚଳରେ ଉପଯୁକ୍ତ ବ୍ୟବସ୍ଥା କରାଯିବ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଭସାଣ ସମୟରେ ମାଇକ୍ର ଶବ୍ଦ ୬୫ ଡେସିବଲରୁ ଅଧିକ ନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଝାରପଡ଼ା, ସହିଦନଗର, ରସୁଲଗଡ଼, ପଳାଶୁଣୀ, ପୁରୁଣା ଷ୍ଟେସନ ବଜାର, ବମିଖାଲ, ନୟାପଲ୍ଲୀ, ବରମୁଣ୍ଡା, ବଡ଼ଗଡ଼, ମହିଳା ପୂଜା କମିଟି (ବ୍ରିଟ୍ କଲୋନୀ), ଶୈଳଶ୍ରୀବିହାର, କଳାରାହାଙ୍ଗ, ତୁମୁଡୁମା, ପଟିଆ ଆଦି ପୂଜା କମିଟିର ପ୍ରତିନିଧ ଅଂଶଗ୍ରହଣ କରିଥିଲେ ।
ବୈଠକ ପରେ ପୋଲିସ କମିଶନର କହିଛନ୍ତି, “ପ୍ରତିବର୍ଷ ପୂଜା ପାଇଁ ଏହି ବୈଠକ କରାଯାଏ । ଭୁବନେଶ୍ୱରର ସବୁ ପୂଜା କମିଟିର ପ୍ରତିନିଧି, ବିଧାୟକମାନେ, ସାଂସଦଙ୍କ ପ୍ରତିନିଧି, ସବୁ ଲାଇନ୍ ଡିପାର୍ଟମେଣ୍ଟର ପ୍ରତିନିଧି, ଜୋନାଲ ଓ ଥାନା ସ୍ତରୀୟ ଅଧିକାରୀମାନେ ଆଲୋଚନା କଲୁ । ଗତବର୍ଷର ପ୍ରସ୍ତୁତି ନେଇ ମତାମତ ନିଆଯାଇଥିଲା । ପୋଲିସର ସହଯୋଗ ଓ ବ୍ୟବସ୍ଥା ନେଇ ପୂଜା କମିଟି କର୍ତ୍ତୃପକ୍ଷମାନେ ପ୍ରଶଂସା କରିଥିଲେ । କେତେକ ଘଟଣାରେ ସେମାନେ ଅଭିଯୋଗ ମଧ୍ୟ ଜଣାଇଥିଲେ । ଏସବୁ ଜିନିଷକୁ ନୋଟ୍ କରାଗଲା । ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଲୋକମାନଙ୍କୁ ଯେଭଳି କୌଣସି ସମସ୍ୟା ନହେଉ, ସେଥିପାଇଁ ସଙ୍କଳ୍ପ ନିଆଗଲା । ସବୁ ବିଭାଗ ସହ ସମନ୍ୱୟ ରଖାଯାଇ ଦୁର୍ଗାପୂଜାକୁ ସୁରୁଖୁରୁରେ ଆୟୋଜନ ନିଷ୍ପତ୍ତି ହୋଇଛି,’ ବୋଲି ସିପି କହିଛନ୍ତି । ଏଥିସହିତ ପୁଲିସ ପକ୍ଷରୁ ମଧ୍ୟ ପୂଜାରେ ଶୃଙ୍ଖଳାର ପାଳନ କରିବାକୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବିଶେଷ କରି ସହରରେ ଟ୍ରାଫିକ ସମସ୍ୟାର କିପରି ସମାଧାନ ହେବ, ସେଦିଗରେ ଆମେ ଅଧିକ ଯତ୍ନଶୀଳ ରହିବୁ ।

