ଆସନ୍ତା ୨୪ ଘଣ୍ଟା ଓଡ଼ିଶା ପାଇଁ ସତର୍କ ରହିବାର ସମୟ- ରାଜସ୍ବ ମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ ତେଣୁ ଝାରସୁଗୁଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସ୍ୱାଭାବିକ ଆଡ଼କୁ ଓଡ଼ିଶା ଗତି କରିବ । ବୈତରଣୀ ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ରହିଛି । ମଥାନୀରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଗକୁ ବର୍ଷା କମିବ, ତେଣୁ ରାତି ସୁଦ୍ଧା ନଦୀର ଜଳସ୍ତର କମିବା ନେଇ ଆଶଙ୍କା କରାଯାଉଛି ।

ରାଜ୍ୟରେ ଅସ୍ବାଭାବିକ ବର୍ଷା ନେଇ ତଥ୍ୟ ରଖି ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍‌ରୁ ସେପ୍ଟେମ୍ବର ୪ ମାସରେ ୩୧%ରୁ ଅଧିକ ବର୍ଷା ହୋଇଛି । ୪ ମାସରେ ସ୍ବାଭାବିକ ବର୍ଷା ୧୧୦୦ ମିମି, କିନ୍ତୁ ୧୪୫୦ ମିମି ବର୍ଷା ହୋଇଛି । ଯାହାକି ସ୍ବାଭାବିକ ଠାରୁ ୩୧%ରୁ ଅଧିକ ବର୍ଷା । ଜୁଲାଇରେ ସର୍ବାଧିକ ୬୪୭ ମିମି ବର୍ଷା ହୋଇଛି ଏବଂ ସ୍ବାଭାବିକ ବର୍ଷା ୩୩୮ ମିମି, କିନ୍ତୁ ଜୁଲାଇରେ ହୋଇଛି ୬୪୭ ମିମି । ଅର୍ଥାତ ଜୁଲାଇରେ ସ୍ବାଭାବିକଠୁ ୯୧.୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟରେ ସ୍ବାଭାବିକ ବର୍ଷା ୩୫୬ ମିମି, କିନ୍ତୁ ହୋଇଛି ୪୦୧.୨ ମିମି ଅର୍ଥାତ ଅଗଷ୍ଟରେ ସ୍ବାଭାବିକଠୁ ୧୨.୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେପ୍ଟେମ୍ବରରେ ସ୍ବାଭାବିକ ବର୍ଷା ୨୦୧ ମିମି ରହିଥିବା ସମୟରେ ବର୍ତ୍ତମାନ ଯାଏୱ ହୋଇଛି ୨୮୭.୪ ମିମି ରେକର୍ଡ କରାଯାଇଛି ।

ଅନ୍ୟପଟେ, ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ଇନ୍ଦ୍ରାବତୀ ଡ୍ୟାମ୍‌ରେ ୫ଟି ଗେଟ୍‌ ଖୋଲାଯାଇଛି । ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ ଏବଂ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀର ବନ୍ୟା ଜଳ କେବଳ ସତର୍କ ସୂଚନା ଛୁଇଁବ । ବ୍ରାହ୍ମଣୀ ଓ ମହାନଦୀରେ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।


Reporterspen