୪ ପଞ୍ଚାୟତର ୬୧ ଗାଁର ୩୨ ହଜାର ଲୋକ ହେବେ ଉପକୃତ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଜଗତସିଂହପୁର ଜିଲ୍ଲାର ସିଆଳିଠାରେ ଏକ ନୂତନ ପୁଲିସ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଛି। କେନ୍ଦ୍ରୀୟ ରେଞ୍ଜ୍ର ଆଇଜିପି ସତ୍ୟଜିତ ନାୟକ ଏହି ପୁଲିସ ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଏବଂ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ଜେ. ସୋନାଲ ଉପସ୍ଥିତ ଥିଲେ।
ଏରସମା ଥାନା ଅନ୍ତର୍ଗତ ସିଆଳିଠାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ତିର୍ତ୍ତୋଲ ଏସ୍ଡିପିଓ ଅଜୟ କୁମାର ଦାସ, ଏରସମା ଓ କୁଜଙ୍ଗ ଥାନାର ଆଇଆଇସି, ସ୍ଥାନୀୟ ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ସିଆଳିଠାରେ ଏହି ପୁଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉପକୂଳ ଅଞ୍ଚଳରେ ପୁଲିସ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଲୋକଙ୍କୁ ସହଜରେ ପୁଲିସ ସେବା ମିଳିପାରିବ। ଏହି ସହାୟତା କେନ୍ଦ୍ର ଅଧୀନରେ ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା ଓ ଜଙ୍କାଦେଇପୁର ଆଦି ୪ଟି ଗ୍ରାମ ପଞ୍ଚାୟତର ୬୧ଟି ଗାଁ ରହିବ। ଏହି ଅଞ୍ଚଳରେ ପ୍ରାୟ ୩୨ ହଜାର ଲୋକ ବସବାସ କରୁଛନ୍ତି। ସିଆଳିଠାରୁ ଏରସମା ଥାନାର ଦୂରତା ପ୍ରାୟ ୨୭ କିଲୋମିଟର।
ଏହି ସହାୟତା କେନ୍ଦ୍ର ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ପୁଲିସର ଉପସ୍ଥିତି ବଢ଼ାଇବା, ଜନସାଧାରଣଙ୍କ ଅଭିଯୋଗ ଓ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା, ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା।
ବିଶେଷକରି ସିଆଳି ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପଦ ପର୍ଯ୍ୟଟନ ପରିବେଶ ସୃଷ୍ଟି ଉପରେ ଏହି କେନ୍ଦ୍ର ଗୁରୁତ୍ୱ ଦେବ। ଏଥିସହ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ପୁଲିସ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଅଧିକ ମଜଭୁତ କରିବା ଏହାର ଅନ୍ୟତମ ଲକ୍ଷ୍ୟ।
ଜଗତସିଂହପୁର ଜିଲ୍ଲା ପୁଲିସ ପକ୍ଷରୁ ଏହି ପଦକ୍ଷେପ ଉପକୂଳ ଓ ପର୍ଯ୍ୟଟନସ୍ଥଳୀ ଅଞ୍ଚଳରେ ଅଧିକ ସୁଲଭ, ତ୍ୱରିତ ଓ ଜନଅନୁକୂଳ ପୁଲିସ ସେବା ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

