ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ବାରଙ୍ଗ ଥାନା ଅଞ୍ଚଲରେ କାର୍ ସହ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କାର ଠାରୁ ଅଳ୍ପଦୂରରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହଟି ପଡ଼ି ରହିଥିଲା। ଗୋଡିସାହି ଫାଣ୍ଡି ଅଧିନସ୍ଥ ବେଣ୍ଟୁଆ ଗ୍ରାମ ରାସ୍ତାର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ କଲ୍ୟାଣୀନଗରରେ ଏହି ଅଘଟଣ ଘଟିଛି । ତେବେ ଏହି ଘଟଣାଟି ସେଠାରେ ପ୍ଲଟିଂ ଉଦ୍ଦେଶ୍ୟରେ ହୋଇଥିବା ଜାଗା ଉପରେ ହୋଇଛି। ମୃତ ବ୍ୟକ୍ତି ଜଣକ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ସନ୍ତୋଷ କୁମାର ସାହୁ ବୋଲି (୪୫) ବୋଲି ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି।
ମୃତଦେହ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ତାଙ୍କୁ ସ୍ପଷ୍ଟ ଚିହ୍ନି ହେଉନାହିଁ। ସମ୍ପର୍କୀୟମାନେ ଆସି ମୃତଦେହଟି ସନ୍ତୋଷଙ୍କର ବୋଲି ଚିହ୍ନିଛନ୍ତି। ଉକ୍ତ କାରଟି ସନ୍ତୋଷଙ୍କ ସ୍ତ୍ରୀ କଲ୍ୟାଣୀ ସାହୁଙ୍କ ନାଁରେ ରହିଛି। ବ୍ୟକ୍ତି ଜଣକ ନିଜେ ଜଳିଯାଇଛନ୍ତି ନା ତାଙ୍କୁ କିଏ ଜାଳିଦେଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି। ବାରଙ୍ଗର ଗଣପର୍ବ କାର୍ତ୍ତିକେଶ୍ୱର ପୂଜା ଚାଲିଥିବା ବେଳେ ଏହି ଘଟଣା ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସ୍ଥାନୀୟ ଲୋକ ଓ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ (OD05BV 9945) ୱାଗନର କାରଟି ହୁତୁହୁତୁ ହୋଇ ଜଲୁଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖି ଖବରପାଇ ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ କାରରୁ ନିଆଁ ଲିଭାଇଥିଲା। ନିଆଁ ଲିଭିବା ପରେ ଯାଞ୍ଚ କରିବା ସମୟରେ କାର୍ଠାରୁ ଅଳ୍ପ ଦୂରରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ବ୍ୟକ୍ତି ଜଣକ ଜୀବନ ବଞ୍ଚାଇବା ପାଇଁ କାର୍ରୁ ବାହାରି ଆସିବାକୁ ଚେଷ୍ଟା କରି ତଳକୁ ପଳାଇଆସି ଗୁରୁତର ଆହତ ହୋଇଥିବାରୁ ତଳେ ପଡ଼ିଯାଇଥିବାର ପୋଲିସ ଅନୁମାନ କରୁଛି।.
ଏନେଇ ବାରଙ୍ଗ ଥାନା ଅଧିକାରୀ ବିକାଶ ପଲ୍ଲୀ କହିଛନ୍ତି ‘‘ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।। MLC ଆଧାରରେ ଏକ ଅପମୃତ୍ୟୁ (ନଂ.୩୪/୨୦୨୬) ମାମଲା ରୁଜୁ ହୋଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ମୃତଦେହଟି ସନ୍ତୋଷଙ୍କର ବୋଲି ଅନୁମାନ କରାଯାଉଛି। ଆଜି ସନ୍ତୋଷଙ୍କ ପରିବାର ସଦସ୍ୟମାନେ ଆସି ମୃତଦେହ ଚିହ୍ନଟ କରିବା ପରେ ଅଧିକ ସ୍ପଷ୍ଟତା ଆସିବ। ତେବେ କେମିତି ଏହି ଘଟଣା ଘଟିଲା ତଦନ୍ତ ପରେ ସ୍ପଷ୍ଟ ହେବ’’ ।

