ଇଣ୍ଡିଆ ଟିମ ପାଇଁ ପୁଣି ଜଣେ ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ପ୍ରସ୍ତୁତ ହେଉଛନ୍ତି

Reporterspen

ନୂଆଦିଲ୍ଲୀ: ଇଣ୍ଡିଆ ଟିମ ପାଇଁ ପୁଣି ଜଣେ ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ପ୍ରସ୍ତୁତ ହେଉଛନ୍ତି । ଫିଜିକ ଏବଂ ଫିଟନେସ ଦେଖିଲେ ତାଙ୍କ ବାପାଙ୍କ କଥ ମନେ ପଡିଯାଉଛି । ଯିଏ ଟେଷ୍ଟ କ୍ରିକେଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ହଁ ସେ ଆଉ କେହି ନୁହନ୍ତି ସେ ହେଲେ ଭାରତୀୟ ଟିମର ପୂର୍ବତନ ଷ୍ଟାର କ୍ରିକେଟର ତଥା ଇଣ୍ଡିଆ ଟିମର ପୂର୍ବତନ କୋଚ ରାହୁଲ ଦ୍ରାବିଡ । ଆଉ ଏବେ ତାଙ୍କ ପୁଅ ଧମାକେଦାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ଭାରତୀୟ କ୍ରିକେଟର ମହାନ ବ୍ୟାଟର ରାହୁଲ ଦ୍ରାବିଡଙ୍କ ପୁଅ ସମିତ୍ ଦ୍ରାବିଡ ନିଜ ବ୍ୟାଟିଂକୁ ଖୁବ ଚର୍ଚ୍ଚାରେ ଅଛନ୍ତି । ଦମଦାର ପ୍ରଦର୍ଶନ ବଳରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ ଟି-୨୦ ଟ୍ରଫିରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସମିତଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ଏକ ଚମତ୍କାର ଇନିଂସ । କଲ୍ୟାଣୀ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ପକ୍ଷରୁ ଖେଳୁଥିବା ଏହି ୨୦ ବର୍ଷୀୟ ବ୍ୟାଟର ୨୩ଟି ବଲ୍‌ରୁ ୩୨ ରନ୍ କରିବା ସହ ନିଜ ପାଳିରେ ୬ଟି ଚିତ୍ତାକର୍ଷକ ଚୌକା ମାରିଥିଲେ।

ସମିତ୍ କେବଳ ରନ୍ ସଂଗ୍ରହ କରିନାହାନ୍ତି, ବରଂ ପଡ଼ିଆର ସବୁଆଡେ ସଟ୍ ଖେଳିଛନ୍ତି । ସେ ବ୍ୟାକଫୁଟ୍ କଟ୍‌, ପୁଲ୍ ସଟ୍‌, କଭର ଡ୍ରାଇଭ୍ ଏବଂ ଲଫ୍‌ଟେଡ୍ ଡ୍ରାଇଭ୍ ଭଳି ଅନେକ ଆକର୍ଷଣୀୟ ଷ୍ଟ୍‌ରୋକ ଖେଳିଥିଲେ । ତାଙ୍କ ବ୍ୟାଟିଂରେ ବାପା ରାହୁଲ ଦ୍ରାବିଡ଼ଙ୍କ ଟେକ୍ନିକ୍ ଏବଂ କ୍ଲାସ୍‌ର ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କ ବ୍ୟାଟିଂର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ହୁବ୍‌ଲିର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସମିତ୍‌, ରୋହନ ପାଟିଲଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ । ଏହି ଭାଗିଦାରୀ ବେଙ୍ଗାଲୁରୁ ବ୍ଲାଷ୍ଟର୍ସକୁ ଏକ ମଜବୁତ ଆରମ୍ଭ ଦେଇଥିଲା ।
ସମିତ ଆଉଟ୍ ହେବା ପରେ ମଧ୍ୟ ରୋହନ ପାଟିଲ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ । ସେ ୩୮ଟି ବଲ୍‌ରୁ ୬୪ ରନ୍ କରିଥିବା ବେଳେ ପ୍ରବୀଣ ଦୁବେ ୨୮ଟି ବଲରୁ ୫୧ ରନ୍‌ର ଏକ ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଶେଷ ଆଡ଼କୁ ଶିବରାଜ ମାତ୍ର ୭ଟି ବଲ୍‌ରୁ ୨୩ ରନ୍ ସଂଗ୍ରହ କରିବାରୁ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୩ ରନ୍‌ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା ।

୨୦୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ହୁବ୍‌ଲି ଟାଇଗର୍ସ ମଧ୍ୟ ଜବରଦସ୍ତ ସଂଘର୍ଷ କରିଥିଲା । ମାନବନ୍ଥ କୁମାର ମାତ୍ର ୨୨ଟି ବଲ୍‌ରୁ ୬୦ ରନ୍‌ର ଏକ ବିସ୍ଫୋରକ ପାଳି ଖେଳି ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲେ । ଶେଷ ବଲ୍‌ରେ ଦଳକୁ ଜିତିବା ପାଇଁ ୫ ରନ୍ ଆବଶ୍ୟକ ଥିଲା, କିନ୍ତୁ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ନିଜର ଚାପ ବଜାୟ ରଖିଥିଲା ଏବଂ ହୁବ୍‌ଲି ଟାଇଗର୍ସ ୭ ୱିକେଟ୍ ହରାଇ ୨୦୧ ରନ୍ ହିଁ କରିପାରିଥିଲା ।


Reporterspen