ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସହଯୋଗ ପ୍ରତିଶ୍ରୁତି
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ, ସମବାୟ ବିକାଶ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା । ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜ୍ୟର ବିକାଶମୂଳକ ପଦକ୍ଷେପ, ଆଇନ ଶୃଙ୍ଖଳା ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା ଓ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ସହଯୋଗ କାମନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ଏକ “ନକ୍ସଲମୁକ୍ତ ରାଜ୍ୟ” ଭାବେ ମାନ୍ୟତା ପାଇପାରିଛି ବୋଲି ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ପ୍ରେରଣାରେ ବିକାଶ, ପ୍ରଗତି ଓ ସମୃଦ୍ଧିର ଏକ ନୂତନ ପଥରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ଚାଲିଛି । ନକ୍ସଲ ଦମନରେ ଏହି ସଫଳତା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ନକ୍ସଲ ମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ‘ଗ୍ରାମୋଦୟ ଯୋଜନା’ ମାଧ୍ୟମରେ ସେହି ଅଞ୍ଚଳ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରୁଛନ୍ତି । ସକ୍ରିୟ ପୋଲିସିଂ ଯୋଗୁଁ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।”
ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ହୋଇଥିବା ଦ୍ରୁତ ଶିଳ୍ପାୟନ ବିଷୟରେ ଉଭୟେ ଆଲୋଚନା କରିଛନ୍ତି । ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି । ସେହିପରି ସମବାୟ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ସହଯୋଗ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଚିନି କଳ ଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଯୋଗୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ସେ ରାଜ୍ୟର ପ୍ରମୁଖ ବିକାଶ ଓ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋକପାତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର “ଡବଲ୍-ଇଞ୍ଜିନ୍ ସରକାର” ସିଧାସଳଖ ଜନସମ୍ପର୍କ ଏବଂ ଦ୍ରୁତ ଅଭିଯୋଗ ପ୍ରତିକାର ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟର ପ୍ରଶଂସନୀୟ ଓ ଜନକଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

