ଭିଡ଼ କିମ୍ବା ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ସେତୁ ଓ ବ୍ୟାରେଜକୁ ‘ନୋ ପାର୍କିଂ ଜୋନ୍’ ଭାବେ ଘୋଷଣା କରାଯାଇଛି । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜନ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସେତୁ ଓ ବ୍ୟାରେଜକୁ ‘ନୋ ପାର୍କିଂ ଜୋନ୍’ ଭାବେ ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ସମୟରେ ସେତୁ ଓ ବ୍ୟାରେଜ ଉପରେ ଅନାବଶ୍ୟକ ଭିଡ଼ ନ କରିବା, ସେଠାରେ ଯାନବାହନ ପାର୍କିଂ ନ କରିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟ ସମୟରେ ଜାରି କରାଯାଉଥିବା ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
କଟକ ଜିଲ୍ଲାର ୨ଟି ବ୍ଲକର ୧୨ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ୮୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନ ଏବଂ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟ କେନ୍ଦ୍ରରେ ରହୁଥିବା ସମସ୍ତ ପ୍ରଭାବିତ ପରିବାରଙ୍କୁ ନିୟମିତ ଭାବେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି । ସେହିପରି ତିଗିରିଆ ବ୍ଲକର କାଲିବିରି ଗ୍ରାମରେ ଜଳବନ୍ଦୀ ହୋଇଥିବା ପରିବାରମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ।
ବନ୍ୟା ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୨୫ଟି ଡଙ୍ଗା, ୧୪ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ, ଗୋଟିଏ ଓଡ୍ରାଫ ଦଳ ଏବଂ ଗୋଟିଏ ଏନ୍ଡିଆରଏଫ୍ ଦଳ ବିଭିନ୍ନ ଅଞ୍ଚଳରେ ମୁତୟନ ରହିଛନ୍ତି । ବିଚ୍ଛିନ୍ନ ଅଞ୍ଚଳଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସାମଗ୍ରୀ ଡଙ୍ଗା ଦ୍ୱାରା ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟ ସମୟରେ କେଡିଏ ଅଞ୍ଚଳରେ ଫସି ରହିଥିବା ପଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେହିପରି ବୈଦେଶ୍ୱର ଅଞ୍ଚଳରେ ଜଳବନ୍ଦୀ ହୋଇଥିବା ଶ୍ରମିକମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ନଦୀବନ୍ଧରେ ଘାଇ ସୃଷ୍ଟି ହୋଇନାହିଁ । ସେହିପରି କୌଣସି ମୃତାହତ କିମ୍ବା ଆହତଙ୍କ ସୂଚନା ମଧ୍ୟ ମିଳିନାହିଁ ।
କଟକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଉଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ସମ୍ପୃକ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ସାଧାରଣ ଜନତାଙ୍କୁ ସତର୍କ ରହିବା, ପ୍ରଶାସନ ସହ ସହଯୋଗ କରିବା ଏବଂ କେବଳ ସରକାରୀ ସୂଚନା ଉପରେ ଭରସା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

