ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ
‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ରୋଡ୍ସୋ ଅନୁଷ୍ଠିତ , ୪୬ ଉଚ୍ଚସ୍ତରୀୟ ବୈଠକ, ୨୦୮ ଶିଳ୍ପ ସହ ଆଲୋଚନା
୩୮ଟି ଏମଓୟୁ ସ୍ବାକ୍ଷର, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ
୧,୬୮୯ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ, ୮,୦୬୪ ନିଯୁକ୍ତି ସମ୍ଭାବନା
ନୂଆଦିଲ୍ଲୀ, ୮।୮ : ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ସମ୍ମିଳନୀରେ ଓଡିଶାକୁ ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏଥିସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ ୩୮ଟି MoU ସ୍ୱାକ୍ଷରିତ ହୋଇଥିବା ବେଳେ ଏହାଦ୍ୱାରା ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଛି । ଏଥିରେ ୪୬,୦୭୧ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ୧,୬୮୯ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ମିଳିଥିଲା। ଯାହାଦ୍ୱାରା ୮,୦୬୪ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି।
ଏହି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଓଡ଼ିଶା ଏପରି ଏକ ଶିଳ୍ପ ବାତାବରଣ ସୃଷ୍ଟି କରୁଛି ଯେଉଁଠାରେ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ହୋଇପାରିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଭାଲ୍ୟୁ-ଆଡିସନ୍ ହୋଇପାରିବ। ଆମର ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନୂତନ ସୁଯୋଗ ଖୋଲିବା। ଆମେ ଚାହୁଁଛୁ ଯେ ଅଭିବୃଦ୍ଧି ପାଇଁ ନିବେଶକମାନେ ଓଡ଼ିଶାକୁ ଏକ ଦୀର୍ଘକାଳୀନ ପାର୍ଟନର ଭାବରେ ଦେଖନ୍ତୁ।
ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍ର ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାରେ ଉତ୍ପାଦନ, ଶିଳ୍ପ ଭିତ୍ତିଭୂମି, ଆନୁଷଙ୍ଗିକ ବିକାଶ ଏବଂ ଯୋଗାଣ ଶୃଙ୍ଖଳା ଏକତ୍ରୀକରଣ ନେଇ ଆଲୋଚନା ହୋଇଥିଲା।
ନୋଏଡ଼ା ଆପାରେଲ୍ ଏକ୍ସପୋର୍ଟ କ୍ଲଷ୍ଟରର ସହଯୋଗରେ ନୋଏଡ଼ା ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଟେକ୍ସଟାଇଲ୍ ଏବଂ ପୋଷାକ ସମ୍ପର୍କିତ ରାଉଣ୍ଡ ଟେବୁଲରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ, ରପ୍ତାନି ସୁଯୋଗ, ଦକ୍ଷ କର୍ମଚାରୀ ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ନାଲକୋ (NALCO) ର ସହଯୋଗରେ ଆୟୋଜିତ ଆଲୁମିନିୟମ୍ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ ରାଉଣ୍ଡ ଟେବଲରେ ଓଡ଼ିଶାରେ ଆଲୁମିନିୟମ୍ ମୂଲ୍ୟ ସଂଯୋଜନା, ଡାଉନଷ୍ଟ୍ରିମ୍ ଉତ୍ପାଦନ, ଆନୁଷଙ୍ଗିକ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ର ଅଂଶଗ୍ରହଣକୁ ପ୍ରସାର କରିବା ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଆମର ପ୍ରାଥମିକତା ହେଉଛି ନିବେଶକମାନଙ୍କୁ ସୁବିଧା ପ୍ରଦାନ କରିବା, କ୍ଷେତ୍ର-ନିର୍ଦ୍ଦିଷ୍ଟ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।
ଦିଲ୍ଲୀ-ଏନ୍ସିଆର ରେ ଦୁଇ ଦିନିଆ ନିବେଶ ଅଭିଯାନରେ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍ ସେ ବ୍ୟତୀତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ୪୬ଟି ଉଚ୍ଚସ୍ତରୀୟ ବୈଠକ ଏବଂ ମୋଟ ୨୦୮ଟି ଶିଳ୍ପ ଆଲୋଚନା ଅନ୍ତର୍ଭୁକ୍ତ ରହିଛି। ଶନିବାର ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ।
ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ହାୟର୍ (Haier) ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ହାୟର୍ (Haier) ଉତ୍ପାଦନ କେନ୍ଦ୍ରର ବରିଷ୍ଠ କମ୍ପାନୀ କର୍ମକର୍ତ୍ତା ଏବଂ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ ଏବଂ କମ୍ପାନୀର ଉତ୍ପାଦନ ପ୍ରକ୍ରିୟା ଏବଂ ବ୍ୟବସ୍ଥାଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ହାୟର୍ କମ୍ପାନୀର ଉନ୍ନତ ଉତ୍ପାଦନ ପଦ୍ଧତିଗୁଡ଼ିକୁ ବୁଝିବା ଏବଂ ବିଶେଷକରି ଇଲେକ୍ଟ୍ରୋନିକ୍ସ, ଗୃହୋପକରଣ, ସପ୍ଲାଏ ଚେନ୍ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ ପରିବେଶକୁ ସୁଦୃଢ଼ କରିବା ପାଇଁ ଏବଂ ସମ୍ଭାବ୍ୟ ସୁଯୋଗଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପାଇଁ ଏହି ପରିଦର୍ଶନ ଏକ ସୁଯୋଗ ପ୍ରଦାନ କରିଥିଲା।

