Chhatia Blast: ଭୁବନେଶ୍ୱର/ଛତିଆ, (ରିପୋଟର୍ସ ପେନ୍) : ଯାଜପୁର ଜିଲ୍ଲା ଛତିଆ ବାଇପାସଖ ରୋଡ କଡରେ ଥିବା ଏକ ମଦ ଦୋକାନ ଆଗରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କର ସଠିକ ପରିଚୟ ମିଳିପାରି ନଥିବା ବେଳେ ସେମାନେ ବଡଚଣା ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ୩ଜଣ ଯୁବକ ଏକ ପଲସର ବାଇକ ଯୋଗେ ଚଣ୍ଡିଖୋଲ ପଟୁ କଟକ ଅଭିମୁଖେ ଆସୁଥିଲେ । ଛତିଆ ବାଇପାସର ସର୍ଭିø ରୋଡ ପାଖରେ ଥିବା ଏକ ମଦ ଦୋକାନ ପାଖରେ ଅଟକି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଡିରୁ ଓହ୍ଲାଇ ମଦ ଆଣିବାକୁ ଯାଇଥିଲା । ଆଉ ଦୁଇଜଣ ବାଇକ ଉପରେ ବସିଥିଲେ । ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବାଇକରେ ବସିଥିବା ଦୁଇଜଣ ଖଣ୍ଡ-ବିଖଣ୍ଡିତ ହୋଇ ଏଣେତେଣେ ଛିଟିକି ପଡିଥିଲେ । ବାଇଟି ପୋଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ହେଲେ ମଦ ପାଇଁ ଯାଇଥିବା ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆହତ ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ବିସ୍ଫୋର କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।
ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କଲେ, ବାଇକରେ ଆସିଥିବା ଯୁବକମାନେ ସାଙ୍ଗରେ ବୋମା ନେଇ ଯାଉଥିବା ଅନୁମାନ କରାଯାଉଛି । ମଦ ଦୋକାନ ପାଖରେ ଗାଡି ରଖି ଠିଆ ହୋଇଥିବା ବେଳେ ତାହା ପଡିଯାଇ ବିସ୍ଫୋରଣ ଘଟିଥିଲ । ଫଳରେ ବାଇକରେ ଥିବା ଦୁଇ ଜଣ ଖଣ୍ଡ-ବିଖଣ୍ଡିତ ହୋଇଯାଇଥିଲେ । ପୋଲିସ ଆଖପାଖ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଯଦି ସେମାନେ ବୋମା ନେଇ ଯାଉଥିଲେ, ତେବେ କେଉଁଠୁ ବୋମା ଆଣିଲେ ଓ କେଉଁ ଆଡେ ନେଉଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେବେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି ।