ସୌମ୍ୟ ହତ୍ୟା ଘଟଣା: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

Reporterspen

ଘଟଣାସ୍ଥଳରୁ ଖୋଳତାଡ ଆରମ୍ଭ, ବିଭିନ୍ନ ଦିଗରୁ ହେବ ତଦନ୍ତ

ବାଲିଅନ୍ତା ଥାନା ଅଧମବକାରୀ ବଦଳିଲେ, ୪ ପୋଲିସ୍‌ ସସପେଣ୍ଡ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) ବାଲିଅନ୍ତା ଭିଡ ହତ୍ୟାକାଣ୍ଡ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ତତନ୍ତ୍ର ଟିମ୍‌ ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍‌ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନେତୃତ୍ୱରେ ବାଲିଅନ୍ତା ଥାନାରେ ଟିମ୍‌ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି। ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏପରିକି ଘଟଣାସ୍ଥଳରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି।

କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର କହିଛନ୍ତି, ତଦନ୍ତ ପାଇଁ ୧୦ ଅଫିସର୍‌ଙ୍କୁ ନେଇ ଦୁଇଟିି ଟିମ୍‌ ଗଠନ କରାଯାଇଛି। ତଦନ୍ତରେ ସାଇଣ୍ଟିଫିକ, ସାଇବର ଟିମ୍‌ ଓ ଡଗ୍‌ ସ୍କ୍ୱାଡ୍‌ ସାମିଲ କରାଯାଇଛି। ଦୁଷ୍କର୍ମ, ହତ୍ୟା ଓ ପୁଲିସର ଅବହେଳାକୁ ନେଇ ତଦନ୍ତ କରାଯିବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି। ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ କହିଛନ୍ତି।

ଅନ୍ୟପକ୍ଷରେ ପୋଲିସ ଡିଜି ଘଟଣାକୁ ଗମ୍ଭୀରତାର ସହ ନେଇ ପ୍ରାଥମିକ ପ୍ରର୍ଯାୟରେ ବାଲିଅନ୍ତା ଥାନା ଅଧିକାରୀ ଅନୀଲ ପରିଡାଙ୍କୁ ବଦଳି କରାଯାଇଥିବା ବେଳେ ୪ଜଣ ,ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଥାନା ଅଧିକାରୀଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଜଣେ ସବ-ଇନ୍ସପେକ୍ଟର, ଜଣେ ଏଏସଆଇ ଓ ଜଣେ ଓଏପିଏଫ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଏଥିସହିତ ପିସିଆର ୪୨ର ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ବେଳ ଦୁଇ ହୋମଗାର୍ଡ଼ଙ୍କୁ ଚାକିରିରୁ ଅବ୍ୟାହତି ପାଇଁ ନୋଟିସ କରାଯାଇଛି।

ସୂଚନାଯୋଗ୍ୟ, ଗତ ୭ ତାରିଖ (ଗୁରୁବାର) ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସଡକ ଦୁର୍ଘଟଣାକୁ ନେଇ ଦୁଇ ଯୁବତୀଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ଓ ପରେ ଅସଦାଚରଣ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୋଲିସ ଆଖି ଆଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଭିଡ ହତ୍ୟା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏବେ ସୁଦ୍ଧା ପୁଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି। ମୃତ କନଷ୍ଟେବଳ ସୌମ୍ୟଙ୍କ ପରିବାର କମିଶନରେଟ ପୁଲିସର ତଦନ୍ତକୁ ନେଇ ସନ୍ତୁଷ୍ଟ ନଥିଲେ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଘଟଣା ଦିନ ସୌମ୍ୟଙ୍କୁ ବାଇକ୍‌ରେ ନେଇ ଓମ୍‌ ପ୍ରକାଶ ଭୁବନେଶ୍ୱର ସତ୍ୟବିହାର ଛାଡିବାକୁ ଯାଇଥିଲେ। ସେଦିନର ସେହି ଅମାନୁଷିକ ଘଟଣା ସଂପର୍କରେ ଓମ୍‌ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ତାଙ୍କ କହିବାନୁସାରେ, ସେଦିନ ଉଭୟେ ସୌମ୍ୟ ଓ ଓମ୍‌ ଭୁବନେଶ୍ୱର ଯାଉଥିଲେ। ହଠାତ ସୌମ୍ୟ କହିଥିଲେ ଘରେ ମନିପର୍ସ ରହିଯାଇଛି । ଫେରି ଆଣିବାକୁ ପଡିବ। ତେଣୁ ଓମ୍‌ ବାଇକ୍‌ ବୁଲାଇଥିଲେ। ରାମଚନ୍ଦ୍ରପୁର କାଜ ନିକଟରେ ହଠାତ୍‌ ସୌମ୍ୟଙ୍କ ଆଚରଣ ବଦଳି ଯାଇଥିଲା । ସମ୍ଭବତଃ ତାଙ୍କୁ ଫିଡସ୍‌ (ବାତ) ମାରିଥିଲା । ସେ ଅସ୍ୱାଭାବିକ ବ୍ୟବହାର କରିବା ସହ ପଛପଟରୁ ବାଇକ୍‌ ଚଳାଉଥିବା ଓମ୍‌ଙ୍କ ବେକକୁ ହଠାତ୍‌ ମାଡି ବସିଥିଲେ। ଫଳରେ ବାଇକ୍‌ ଭାରସାମ୍ୟ ହରାଇଥିଲା। ରାସ୍ତାରେ ଯାଉଥିବା ଯୁବତୀଙ୍କ ସ୍କୁଟି ସହ ଗାଡି ପିଟି ହୋଇଯାଇଥିଲା । ସମସ୍ତେ ରାସ୍ତାରେ ପଡିଯିବା ପରେ ସୌମ୍ୟ ହଠାତ୍‌ ଯୁବତୀମାନଙ୍କୁ ଆକ୍ରମଣ କରିଥିଲେ ।

ଏମିତିକି ଓମ୍‌ଙ୍କ ମଧ୍ୟ ଆକ୍ରମଣ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକେ ଦୌଡିଆସି ସୌମ୍ୟଙ୍କୁ ମାରିବାକୁ ଆରମ୍ଭ କଲେ। ନିକଟରେ ଏକ ବିଲ ଭିତରକୁ ତାଙ୍କୁ ଠେଲି ଦିଆଯାଇଥିଲା । ସେଠାରେ ଗୋଡହାତ ବାନ୍ଧି ତାଙ୍କୁ ବାଉଁଶରେ ଲୋକେ ପିଟି ଚାଲିଥିଲେ । ସେଠାରେ ପ୍ରାୟ ୭୦/୮୦ ଲୋକ ଥିଲେ, କିନ୍ତୁ ୧୦/୧୨ଜଣ ଅତି ନିର୍ମମ ଭାବେ ସୌମ୍ୟଙ୍କୁ ମାରି ଚାଲିଥିଲେ । ଏମିତିକି ଓମ୍‌ଙ୍କୁ ମଧ୍ୟ କିଛି ଲୋକ ବାଡେଇବା ଆରମ୍ଭ କରିଥିଲେ । ଏହି ସମୟରେ ସେଠାରେ ଥିବା ଗଙ୍ଗେଶ୍ୱର ଅଞ୍ଚଳର କିଛି ଲୋକ ଓମ୍‌ଙ୍କର କିଛି ଭୁଲ୍‌ ନଥିବା କହିଥିଲେ । ଫଳରେ ଓମ୍‌ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ଯାଇଥିଲେ । କିଛି ସମୟ ଭିତରେ ସେଠାରେ ଥାନା ପିସିଆର୍‌ ପହଞ୍ଚିଥିଲା। ଗାଡିରେ ଜଣେ ସାଦା ପୋଷାକଧାରୀ ସବ୍‌ଇନ୍ସପେକ୍ଟର ଥିଲେ। ସେ କିଛି ନବୁଝି ସିଧାସଳଖ ସୌମ୍ୟଙ୍କୁ ମାରିଥିଲେ। ଏମିତିକି ତାଙ୍କ ଉପରେ ଚଢି ଯାଇଥିଲେ। ୟୁନିଫର୍ମରେ ଥିବା ପୁଲିସ କର୍ମଚାରୀମାନେ ପଛରେ ଛିଡା ହୋଇରହିଥିଲେ । ଜଣେ ବ୍ୟକ୍ତିଙ୍କୁ ଲୋକମାନେ ମିଶି ମାରୁଥିବା ବେଳେ ସେଠାରେ ପୁଲିସ ତାଙ୍କୁ ଉଦ୍ଧାର ନକରି ଡାଏରୀ ଧରି ଲେଖାଲେଖି କରିବାକୁ ନେଇ ଓମ୍ପ୍ରକାଶ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପକ୍ଷରେ ଘଟଣା ସହ ଜଡିତ ଯୁବତୀଙ୍କ ଅଭିଯୋଗକୁ ମଧ୍ୟ ଓମ ପ୍ରକାଶ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯୁବତୀ ଜଣକ ମିଛ କହୁଛନ୍ତି । ସୌମ୍ୟ କୌଣସି ପ୍ରକାର ମନ୍ଦ ଉଦ୍ଦେଶ୍ୟ ରଖିନଥିଲେ । ବରଂ ମାନସିକ ଭାରସାମ୍ୟ ହରାଇ ବସି ତାଙ୍କୁ ମାର୍ପିଟ୍‌ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବଳାତ୍କାର ଉଦ୍ୟମ କରିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ଓମ୍‌ ପ୍ରକାଶ କରିଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୁଲିସର କାର୍ଯ୍ୟଶୈଳୀ, ପୀଡିତା ଯୁବତୀଙ୍କ ବୟାନ ଓ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍‌ଙ୍କ ପ୍ରତିକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଠିକ୍‌ ତଦନ୍ତ ହେବା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ରହସ୍ୟ ଉପରୁ ପ୍‌ର୍ଦ୍ଦା ଉଠିବ ବୋଲି ଆଶା କରାଯାଉଛି ।

କମିଶନରେଟ ପୋଲିସ ସହ ଡିଜିଙ୍କ ଆଲୋଚନା
ବାଲିଅନ୍ତା ହତ୍ୟାକାଣ୍ଡ ପରେ କମିଶନରେଟ ପୋଲିସ ବଦନାମ ହେଉଛି। ଫଳରେ ପୋଲିସ ଅଧିକାରୀଙ୍କ ମନୋବଳ ଭାଙ୍ଗି ଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି ୱାଇ ବି ଖୁରାନିଆ ଆଜି କମିଶନରେଟର ସମସ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଭିଜି ମାଧ୍ୟମରେ କରାଯାଇଥିବା ଏହି ବୈଠକରେ ସଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଡିଜି ପରାମର୍ଶ ଦେବା ସହ ମନୋବଳକୁ ଦୃଢ କରିବାକୁ କହିଛନ୍ତି। ପ୍ରାୟ ୪୫ ମିନିଟ ଧରି ଡିଜିପି ବୈଠକ କରିଥିଲେ। ବୈଠକରେ ପୋଲିସ ଯଥାସମ୍ଭବ ଲୋକଙ୍କ ନିକଟତର ହେବାକୁ ଡିଜି ପରାମର୍ଶ ଦେଇଥିଲେ।


Reporterspen