ଲୋକସଭାରେ ବନ୍ଦେ ମାତରମ ବିଲ୍ ପାସ୍‌; ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା

Reporterspen

ନୂଆଦିଲ୍ଲୀ, : ଭାରତର ଜାତୀୟ ସଂଗୀତ ବନ୍ଦେ ମାତରମ ସହ ଜଡିତ ବିଲ୍ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି । ବନ୍ଦେ ମାତରମକୁ ଅପମାନିତ କିମ୍ବା ଏହା ଗାନ ହେଉଥିବା ସମୟରେ ବାଧା ସୃଷ୍ଟି କଲେ ଏହାକୁ ଅପରାଧିକ ମାମଲା ଭାବେ ବିବେଚନା କରାଯିବ ।

ଦିନକ ତଳେ ପ୍ରିଭେନ୍ସନ ଅଫ୍ ଇନସଲ୍ଟସ୍ ଟୁ ନ୍ୟାସନାଲ୍ ହନର (ସଂଶୋଧନ) ବିଲ୍ ୧୯୭୧ ରାଜ୍ୟସଭାର ଅନୁମୋଦନ ହାସଲ କରିଥିଲା । ଆଜି ଲୋକସଭାରେ ଅଳ୍ପ ସମୟର ବିତର୍କ ସହ ଏହା ପାସ୍ ହୋଇଛି । ଏବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ଏହା ପଠାଯିବ । ସେ ଏଥିରେ ମୋହର ମାରିବା ମାତ୍ରେ ପ୍ରିଭେନ୍ସନ ଅଫ୍ ଇନସଲ୍ଟସ୍ ଟୁ ନ୍ୟାସନାଲ୍ ହନର (ସଂଶୋଧନ) ବିଲ୍ ୧୯୭୧ ଆଇନରେ ପରିଣତ ହୋଇଯିବ ।

ପ୍ରିଭେନ୍ସନ ଅଫ୍ ଇନସଲ୍ଟସ୍ ଟୁ ନ୍ୟାସନାଲ୍ ହନର (ସଂଶୋଧନ) ବିଲ୍ ୧୯୭୧ ଆଇନରେ ପରିଣତ ହେଲେ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ଜନ ଗଣ ମନ, ତ୍ରିରଙ୍ଗା ପତାକା ଓ ସମ୍ବିଧାନ ପରି ସମାନ ଆଇନଗତ ସୁରକ୍ଷା ମିଳିବ । ବର୍ତ୍ତମାନର ୧୯୭୧ ମସିହାର ଆଇନ ଅନୁଯାୟୀ ଜାତୀୟ ସଙ୍ଗୀତକୁ ଅପମାନ କରିବା, ଗାନରେ ବାଧା ସୃଷ୍ଟି କରିବା କିମ୍ବା ବିଘ୍ନ ଘଟାଇବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନାର ବ୍ୟବସ୍ଥା ରହିଛି ।

ନୂଆ ବିଲ୍ ମାଧ୍ୟମରେ ବନ୍ଦେ ମାତରମକୁ ମଧ୍ୟ ଏହି ଆଇନର ପରିସରରେ ଅଣାଯାଇଛି । ଜାତୀୟ ସଙ୍ଗୀତର ୧୫୦ତମ ବର୍ଷପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାର ଗତ କିଛି ମାସ ଧରି ବନ୍ଦେ ମାତରମକୁ ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି । ଚଳିତ ବର୍ଷ ଫେବୃଆରୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା ଯେ ଯେଉଁ ସରକାରୀ କାର୍ଯ୍ୟକ୍ରମରେ ଜନ ଗଣ ମନ ବଜାଯାଏ କିମ୍ବା ଗାନ କରାଯାଏ ସେଠାରେ ବନ୍ଦେ ମାତରମ ମଧ୍ୟ ଗାଇବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ ।

ରାଜନୀତିକ ବିଶ୍ଳେଷକଙ୍କ ମତରେ ଏହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପିର ଏକ ରଣନୀତିକ ପଦକ୍ଷେପ ଥିଲା । ବଙ୍କିମଚନ୍ଦ୍ର ଚଟ୍‌ଟୋପାଧ୍ୟାୟ ୧୮୭୫ ମସିହାରେ ଏହି ଗୀତ ରଚନା କରିଥିଲେ ଓ ୧୮୮୨ ମସିହାରେ ତାଙ୍କ ଉପନ୍ୟାସ ଆନନ୍ଦମଠରେ ଏହା ପ୍ରକାଶିତ ହୋଇଥିଲା ।

ଚଳିତ ମାସ ଆରମ୍ଭରେ ଗୃହ ମନ୍ତ୍ରଣାଳୟ ପୁଣି ରାଜ୍ୟଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା ଯେ ଯଦି ଯଦି ଜାତୀୟ ସଂଗୀତ ଓ ଜାତୀୟ ଗୀତ ସମାନ ଭାବେ ପରିବେଷଣ ହୁଏ, ତେବେ ପ୍ରଥମେ ବନ୍ଦେ ମାତରମ୍ ଓ ପରେ ଜନ ଗଣ ମନ ଗାନ କରାଯିବ । ବନ୍ଦେ ମାତରମର ସମସ୍ତ ୬ଟି ଷ୍ଟାଞ୍ଜା ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡର ଗୀତ ସମ୍ପୂର୍ଣ୍ଣ ଭାବେ ଗାଇବାକୁ ଚିଠିରେ କୁହାଯାଇଥିଲା ।

୧୯୩୭ ମସିହାରେ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ କଂଗ୍ରେସ କେବଳ ପ୍ରଥମ ଦୁଇଟି ଷ୍ଟାଞ୍ଜାକୁ ବ୍ୟବହାର କରିବାର ନିଷ୍ପତ୍ତି ନେଇଥିଲା । ପରବର୍ତ୍ତୀ ଷ୍ଟାଞ୍ଜାଗୁଡ଼ିକରେ ହିନ୍ଦୁ ଦେବୀଙ୍କ ଉଲ୍ଲେଖ ଥିବାରୁ ମୁସଲିମ ସଂପ୍ରଦାୟର କିଛି ଗୋଷ୍ଠୀ ଏହା ଉପରେ ଆପତ୍ତି ଉଠାଇଥିଲେ । ଏଥିପାଇଁ କଂଗ୍ରେସ ସରକାର ଏପରି ପଦକ୍ଷେପ ନେଇଥିଲେ । କିନ୍ତୁ ଏବେ ବିଜେପି ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି ।


Reporterspen