ହୀରାକୁଦର ୨୨ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ତଳିଆ ଅଞ୍ଚଳକୁ ସତର୍କ ରହିବାକୁ ପରାମର୍ଶ
ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ
୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ
ଜଳବନ୍ଦୀରେ ଅଛନ୍ତି ୨ ଲକ୍ଷ ୬୮ ହଜାର ୯୪୩ ଜଣ
କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜ୍ୟରେ ବନ୍ୟା ସ୍ଥିତି ଏବେ ବି ଚିନ୍ତା ବଢ଼ାଉଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳ ନିଷ୍କାସନ ବଢ଼ାଇବାକୁ ପ୍ରଶାସନ ପଦକ୍ଷେପ ନେଇଛି । ପୂର୍ବରୁ ଖୋଲା ଥିବା ୧୪ଟି ସ୍ଲୁଇସ୍ ଗେଟ୍ ସହ ଆଉ ୮ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦର ମୋଟ ୨୨ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଏଥିରେ ବାମ ପାର୍ଶ୍ୱର ୧୫ଟି ଓ ଡାହାଣ ପାର୍ଶ୍ୱର ୭ଟି ଗେଟ୍ ରହିଛି । ୨୨ଟି ଗେଟ୍ ଦେଇ ବର୍ତ୍ତମାନ ପ୍ରାୟ ସାଢେ ୩ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳ ସମ୍ପଦ ବିଭାଗ ସ୍ଥିତି ଉପରେ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳକୁ ସତର୍କ ରହିବାକୁ କୁହାଯାଇଛି ।
ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଖଇରମାଳରେ ପ୍ରାୟ ୫ ଲକ୍ଷ ୨୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ଛଡ଼ାଯାଉଥିବା ଜଳ ପହଞ୍ଚିବା ପରେ ଏଠାରେ ପ୍ରବାହ ପ୍ରାୟ ସାଢେ ୭ଲକ୍ଷ କ୍ୟୁସେକ୍ ଛୁଇଁପାରେ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଛି ।
ସେହିପରି ମୁଣ୍ଡଳୀରେ ଜଳପ୍ରବାହ ଧୀରେ ଧୀରେ ହ୍ରାସ ପାଉଛି । ଗତକାଲି ସନ୍ଧ୍ୟାରେ ପିକ୍ ପ୍ରବାହ ୮ ଲକ୍ଷ ୮୮ ହଜାର କ୍ୟୁସେକ୍ ଥିବାବେଳେ, ବର୍ତ୍ତମାନ ଏହା ୮ ଲକ୍ଷ ୬୫ ହଜାର କ୍ୟୁସେକ୍କୁ ଖସିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ସାଢେ ୭ ଲକ୍ଷ କ୍ୟୁସେକ୍ ତଳକୁ ଆସିବାର ସମ୍ଭାବନା ରହିଛି । ଦୟା ଓ କୁଶଭଦ୍ରା ନଦୀରେ ବନ୍ୟାଜଳ ପହଞ୍ଚିଥିବାରୁ ତଳିଆ ଅଞ୍ଚଳ ଉପରେ ପ୍ରଶାସନ ସତର୍କ ନଜର ରଖିଛି ।
ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ମହାନଦୀ ବେସିନରେ କୌଣସି ଘାଇ ସୃଷ୍ଟି ହୋଇନାହିଁ । ତେବେ ବ୍ରାହ୍ମଣୀ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ କମୁଥିବା ବେଳେ ଏହି ତିନି ନଦୀରେ ମୋଟ ୭ଟି ଘାଇ ହୋଇଥିବା ସୂଚନା ମିଳିଛି । ଜଳ କମିବା ପରେ ମରାମତି କାମ ଆରମ୍ଭ କରାଯିବ ।
ଚଳିତ ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ ହୋଇଛି । ୫୭ ବ୍ଲକ୍ର ୪୪୬ ପଞ୍ଚାୟତ, ୧୩୬୨ ଗାଁ, ୧୧ ପୌରାଞ୍ଚଳ ପ୍ରଭାବିତ ହୋଇଛି । ମୋଟ୍ ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ । ଜଳବନ୍ଦୀରେ ଅଛନ୍ତି ୨ ଲକ୍ଷ ୬୮ ହଜାର ୯୪୩ ଜଣ । ୭୦୦ରୁ ଅଧିକ ଘର ବନ୍ୟାରେ ପ୍ରଭାବିତ ହୋଇଛି । ଏବେର ତଥ୍ୟ ଅନୁସାରେ ୨୧ ହଜାର ୩୨୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୬୪୩ଟି ରିଲିଫ ସେଣ୍ଟର ଏବେ କାର୍ଯ୍ୟକ୍ଷମ ରହିଛି । ୮୦୦ରୁ ଅଧିକ ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଆଶା କରୁଛୁ ୨୪ ଘଣ୍ଟା ମଧ୍ୟରେ ବନ୍ୟାସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି । ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି । କେବଳ ମହାନଦୀର ଜଳସ୍ତର ବଢୁଛି । ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାଜପୁରରେ ସର୍ବାଧିକ ଘାଇ ହୋଇଛି । ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ । କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ । ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଣି ଛାଡିଥିବା ଅଞ୍ଚଳରେ ନକକୁଅ ମରାମତି ଚାଲିଛି । ପୁରୁଣା ଓ ଦୁର୍ବଳ ନଦୀବନ୍ଧ, ପାଣି ପଶିଥିବା ସ୍କୁଲ ଓ ଅଙ୍ଗନବାଡି ଓ ହସପିଟାଲ ସମ୍ପର୍କରେ ରିପୋର୍ଟ ମଗାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।
ବନ୍ୟାସ୍ଥିତି ନେଇ ଲୋକସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରାଯାଇଛି । ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ରାଜସ୍ୱ ମନ୍ତ୍ରୀ ଆଲୋଚନା କରିଛନ୍ତି ଏବଂ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ବର୍ଷା ଆଲର୍ଟ କରଯାଇଛି ।

