ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଯିବେ
ଆକାଶ ମାର୍ଗରୁ ୪ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳସ୍ଥିତିରେ ଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିବେ ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିବେ । ବନ୍ୟାରେ ସର୍ବାଧିକ ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ । ଶନିବାର ଦିନ ୧୦ଟାରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ୪ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ ।
ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “ସନ୍ଧ୍ୟା ସୁଦ୍ଧା ହୀରାକୁଦର ଅଧିକ ଗେଟ୍ ଖୋଲିବ । କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କୁହାଯାଇଛି ପୂର୍ବାନୁମାନ ଠାରୁ ଅଧିକ ଆଲର୍ଟ ରହିବା ପାଇଁ ।”
ତେବେ ହୀରାକୁଦ ଜଳ ପହଞ୍ଚିବା ବେଳକୁ ମୁଣ୍ଡଳୀରୁ ଜଳ ନିଷ୍କାସନ ହୋଇଯାଇଥିବ । ଏ ପର୍ଯ୍ୟନ୍ତ ରାଜ୍ୟର ୧୫ ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ୱର ବହୁତ ଅଞ୍ଚଳ ଏବେ ବି ଜଳ ମଗ୍ନ ଅଛି । ୧୫ ଜିଲ୍ଲାର ୫୭ ବ୍ଲକ ୪୪୬ ଗ୍ରାମ ପଞ୍ଚାୟତ ୧୩୬୨ ଗାଁ ଏବଂ ୧୧ ପୌରଞ୍ଚଳର ୧୭୪ ୱାର୍ଡ ପ୍ରଭାବିତ ହୋଇଛି ।
୭ ଲକ୍ଷ ୯୧ ହଜାର ୮୪୬ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୮ ହଜାର ୯୪୩ ଲୋକ ଜଳବନ୍ଦୀ ସ୍ଥିତିରେ ରହିଛନ୍ତି । ୨୧ ହଜାର ୩୮୯ ହେକ୍ଟର ଜମି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏବେ ରାଜ୍ୟରେ ୬୪୭ ରିଲିଫ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ୨୦ଟି ସ୍ଥାନରେ ପଶୁଙ୍କୁ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

