ଭୁବନେଶ୍ୱର (ରିପୋଟର୍ସ ପେନ୍) : ମଂଚେଶ୍ୱର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଅର୍ଥାତ ଥାନା ଲାଇନ ଏବେ ପାର୍କିଂ ଜୋନ ପାଲଟିଛି । ରାସ୍ତାର ଦୁଇକଡରେ ହୋଟେଲ, ମଦଦୋକାନ ଯୋଗୁଁ ଗ୍ରାହକମାନେ ବେଆଇନ ପାର୍କିଂ କରୁଛନ୍ତି । ଏଥିସହିତ ଏକ ବଡ ହୋଟେଲ ରାସ୍ତାକୁ ଘେରାବନ୍ଦୀ କରି ରଖିଛି । ଫଳରେ ରାସ୍ତାରେ ଗାଡି-ମୋଟର ଯିବା କଷ୍ଠକର ହୋଇପଡୁଛି । ପୋଲିସ ଓ ପ୍ରଶାସନ ସବୁ ଜାଣି ଅଜଣା ଭଳି ରହିବା ଚିନ୍ତା ବଢାଇଛି ।
ଶିଳ୍ପାଂଚଳରେ ପ୍ରାୟ ୭୦୦ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହସପିଟାଲ ଓ ମିଡ଼ିଆ ହାଉସ ଭଳି ସଂସ୍ଥା ରହିଛି । ଏହାକୁ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି-ମୋଟର ଯିବା ଆସିବା କରୁଛି । ବିଶେଷ କରି ଶହଶହ ମାଲବାହୀ ଟ୍ରକ ମଧ୍ୟ ଆସୁଛି । ହେଲେ ପ୍ରବେଶ ପଥ ନିକଟରେ ରାସ୍ତାର ଦୁଇ ପାଶ୍ୱର୍ରେ ଦୁଇଟି ମଦ ଦୋକାନ, ଏକାଧିକ ହୋଟେଲ, ବାର ଓ ମାଳମାଳ ଉଠାଦୋକାନ ଯୋଗୁଁ ରାସ୍ତା ଏକ ପ୍ରକାର ପାର୍କିଂ ଜୋନ ପାଲଟି ଯାଉଛି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।
ବିଶେଷ କରି ବୁଧବାର, ଶୁକ୍ରବାର, ରବିବାର ଦିନ ଉକ୍ତ ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଉଛି । ଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ସେହିପରି ଥାନା ସମ୍ମୁଖରେ ୩୦ରୁ ଅଧିକ ଖରାପ ୪ଚକିଆ ଓ ଟ୍ରକ ରାସ୍ତା ଉପରେ ଏଣେତେଣେ ବିଛାଡି ହୋଇପଡିରହିଛି । ଯାହା ସମସ୍ୟାକୁ ଦ୍ୱିଗୁଣିତ କରିପକାଉଛି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାର୍କିଂ ଜାଗା ନଥିଲେ ହୋଟେଲ ବା ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ବାରଣ କରାଯାଉଛି । ହେଲେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ରାସ୍ତାର ଦୁଇପାଶ୍ୱର୍ରେ ଥିବା ହୋଟେଲର କୌଣସି ପାର୍କିଂ ଜାଗା ନାହିଁ । ସେଠାରେ ସକାଳୁ ରାତି ଯାଏ ଲୋକଙ୍କ ଭିଡ଼ ଲାଗି ରହୁଛି । ଫଳରେ ଗାଡିଗୁଡିକ ରାସ୍ତା ଉପରେ ପାର୍କିଂ ହେଉଛି । ରାସ୍ତାରେ ଦୈନଦିନ ଏଭଳି ସମସ୍ୟା ହେଉଥିଲେ ପୋଲିସ ନିରବଦ୍ରଷ୍ଟା ସାଜୁଛି । ଅଭିଯୋଗ ହେଉଛି ପୋଲିସ, ଇଡକୋ ଓ ବିଏମସିର କର୍ମଚାରୀମାନେ ଦୋକାନୀ ଠାରୁ ମାସିକିଆ ନେଇ ଚୁପ୍ ବସୁଛନ୍ତି ।
ଅନ୍ୟପକ୍ଷରେ କିଛିଦିନ ତଳେ ଅଭିଯୋଗ ପାଇବା ପରେ ଟ୍ରାଫିକ ପୋଲିସ ସେଠାରେ ଚଢାଉ କରି ଦୋକାନୀଙ୍କୁ ତାଗିଦ କରିଥିଲା । ହେଲେ ତାହାର କୌଣସି ପ୍ରଭାବ ପଡିଲା ନାହିଁ । ତେବେ ପୋଲିସ ସହରର ପ୍ରମୁଖ ସ୍ଥାନରେ ଚଢାଉ କରୁଥିବା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳକୁ ହାତ ପାଉନି କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।