cyclone : ବାତ୍ୟା: ୪୮ ଘଣ୍ଟାରେ ଓଡ଼ିଶାରେ ପଦଳିବ ପାଗ

Reporterspen

cyclone : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ଆଗାମୀ ୪୮ ଘଣ୍ଟାରେ ଓଡ଼ିଶାରେ ପାଗ ବଦଳିବ । ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ଶୀତ ବଢିବ । ୨ରୁ ୩ ଡିଗ୍ରୀ ଖସିବ ରାତିର ତାପମାତ୍ରା। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏପଟେ ତାମିଲନାଡୁ ଏବଂ ପୁଡ଼ୁଚେରୀକୁ ବାତ୍ୟା ଭୟ ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଆକଳନ କରିଛି । ଆଇଏମଡିର ପୂର୍ବାନୁମାନ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଏକ ଲଘୁଚାପ କ୍ଷେତ୍ର ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇ ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହୋଇପାରେ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,” ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ତାପମାତ୍ରା ସାଧାରଣ ରହିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦.୦୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ, ପାର୍ବତ୍ୟ ଅଞ୍ଚଳ ଜି. ଉଦୟଗିରିରେ ୦୮.୦୬ ଡିଗ୍ରୀ ସେଲସିୟସ୍ ରହିଛି । ପ୍ରଥମେ ଯେଉଁ ବାତ୍ୟାଟି ଉତ୍ତର ପୂର୍ବ ଇଣ୍ଡୋନେସିଆ ପାଖରେ ସୃଷ୍ଟି ହୋଇଥିଲା, ତା’ର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଦ୍ୱିତୀୟ ସିଷ୍ଟମଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅଧିକରୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । “

ମନୋରମା ମହାନ୍ତି କହିଛନ୍ତି, “ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ଗୋଟିଏ-ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟାରେ ରାତି ତାପମାତ୍ରା ୨ରୁ ୩୬ ଡିଗ୍ରୀ କମିବାର ସମ୍ଭାବନା ରହିଛି ।ଏହାପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ ।”


Reporterspen