ସ୍ୱଳ୍ପ ସମୟ ମଧ୍ୟରେ ରେକର୍ଡ ସଂଖ୍ୟକ ବାଦଲଫଟା ବର୍ଷା ଓ ନବୀନ ସରକାରରେ ବନ୍ୟା ନିୟନ୍ତ୍ରଣ ପାଇଁ ଗୋଟିଏ ବି ଜଳଭଣ୍ଡାର ନିର୍ମାଣ ନହେବା ବନ୍ୟା ବିତ୍ପାତ ପାଇଁ ଦାୟୀ : ବିରଂଚି ନାରାୟଣ ତିପାଠୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ସମ୍ପ୍ରତି ରାଜ୍ୟରେ ପ୍ରଳୟଙ୍କରୀ ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମାଂଚଳର କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଧନଜୀବନ, ଘରଦ୍ୱାର, ବିଦ୍ୟୁତ୍ ସରବରାହ ଏବଂ କୃଷିକ୍ଷେତ୍ର ପ୍ରଭାବିତ ହୋଇଛି। ବିଜେପି ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଗୁରୁତ୍ୱର ସହ ଗ୍ରହଣ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଉଭୟ କଂଟ୍ରୋଲ ରୁମରେ ବସି ଦିନ ରାତି ୨୪ ଘଂଟା ଏହି ସମୟରେ ମନିିଟରିଂ କରିଛନ୍ତି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦ୍ୱୟଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ବାତ୍ୟା ସମ୍ଭାବନା ଥିବା ୮ଟି ଜିଲ୍ଲା ଗସ୍ତ କରି ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି । ସେହିପରି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଏବଂ ଦଳୀୟ ପ୍ରମୁଖ ନେତୃବୃନ୍ଦ ଗଂଜାମ ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରପିଡୀତ ଜନସାଧାରଣଙ୍କ ସହ ଆଲୋଚନା କରି ଏଭଳି ବିପତି ସମୟରେ ଧର୍ଯ୍ୟ ଓ ସାହସର ସହ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଏହି ବାତ୍ୟା ବିଶେଷ ଭାବେ କ୍ଷତି ପହଁଚାଇଛି। ଏହା ମୁଖ୍ୟ କାରଣ ହେଉଛି ବାତ୍ୟା ସମୟରେ ସର୍ବାଧିକ ବୃଷ୍ଟିପାତ। ୧୯୯୦ ମସିହା ବାତ୍ୟା, ୧୯୯୯ ମହାବାତ୍ୟା, ୨୦୧୮ରେ ଆସିଥିବା ତିତିଲି ବାତ୍ୟାଠାରୁ ଅର୍ଣ୍ଣବ ସମୟରେ ସର୍ବକାଳୀନ ରେକର୍ଡ ପରିମାଣର ବର୍ଷା ହେଇଛି। ଯେଉଁଥିପାଇଁ ଏହି ପ୍ରକାର ବନ୍ୟା ହୋଇଛି। ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ସରକାରରେ କୌଣସି ଜଳସେଚନ ପ୍ରକଳ୍ପ ବା ବୃହତ ଡ୍ୟାମର ବ୍ୟବସ୍ଥା କରାଯାଇନାହିଁ। ଋଷିକୁଲ୍ୟା, ବାହୁଦା, ବଂଶଧାରା ଏବଂ ନାଗାବଳୀ ଓ ୟାରି ଅବବାହିକାରେ ଯେଉଁ ସବୁ ଡ୍ୟାମ ରହିଛି ସେସବୁ ମଧ୍ୟମ ଓ କ୍ଷୁଦ୍ର ଧରଣର ଡ୍ୟାମ। ଭଞ୍ଜନଗରକୁ ଛାଡ଼ିଦେଲେ ଅଧିକାଂଶ ଜଳଭଣ୍ଡାର ପାନୀୟଜଳ ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ। ଏଗୁଡିକ ଗେଟ୍ ବିହୀନ ଜଳଭଣ୍ଡାର ଓ ଏଥିରେ ବନ୍ୟା ଜଳ ନିୟନ୍ତ୍ରଣ କରିବାର କୌଣସି ସୁବିଧା ନାହିଁ। ଏଥିପାଇଁ ରେକର୍ଡବୃଷ୍ଟିପାତ ଓ ଜଳପ୍ରବାହ ରୋକିବାରେ ବ୍ୟର୍ଥ ହୋଇଥିଲା। ଦୀର୍ଘ ୨୪ ବର୍ଷ ମଧ୍ୟରେ ନବୀନ ସରକାରରେ କୌଣସି ଗୋଟିଏ ହେଲେ ଡ୍ୟାମ୍ ବା ରିଜର୍ଭହେୟାର ପ୍ରତିଷ୍ଠା କରାଯାଇନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଜେ ଅଧିକାଂଶ ସମୟ ଜଳ ସେଚନ ବିଭାଗର ଦାୟିତ୍ୱରେ ଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେବା ଦୁଃଖଦାୟକ। ତେଣୁ ଏହି ବନ୍ୟା ବିତ୍ପାତ ପାଇଁ ନବୀନ ବାବୁଙ୍କ ଅପାରଗତା ଓ ଅପରିଣାମଦର୍ଶିତା ଦାୟୀ। ଋଷିକୁଲ୍ୟା ନଦୀ ଓ ଓଡେଙ୍ଗି ନଦୀରମୁହାଣରେ ପ୍ରସ୍ତାବିତ ପିପଳପଙ୍କାଡ୍ୟାମ୍‌କୁ ୧୯୯୬ ମସିହାରେ ପରିକଳ୍ପନା କରାଯାଇଥିଲେ ସୁଦ୍ଧା ଦୀର୍ଘ ୨୪ବର୍ଷ ଭିତରେ ନବୀନ ବାବୁ ଏହାକୁ ରୂପାୟିତ କରିବାରେ ବ୍ୟର୍ଥ ହୋଇଛନ୍ତି। ଏହା ଗଞ୍ଜାମବାସୀଙ୍କ ପାଇଁ ଏକ ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ଯଦି ପିପଳପଙ୍କାରେ ଡ୍ୟାମ ହେଇଥାନ୍ତା, ତାହାଲେ ବିଶେଷ କରି ସୋରଡ଼ା, ଶେରଗଡ଼ ଆଦି ଅଂଚଳରେ ଅନେକାଂଶରେ ବନ୍ୟା ନିୟନ୍ତ୍ରଣ କରାଯାଇପାରିଥାନ୍ତା। ଆହୁରି ମଧ୍ୟ ପୁରାତନ ଡ୍ୟାମ୍ ଓ ନଦୀବନ୍ଧର ରକ୍ଷଣାବେକ୍ଷଣା ତଥା ସୁରକ୍ଷା ନେବାରେ ଦୀର୍ଘବର୍ଷ ଧରି ନବୀନ ବାବୁ ବ୍ୟର୍ଥ ହୋଇଥିଲେ।

ମାତ୍ର ବିଜେପି ସରକାରର ୨ ବର୍ଷର ଶାସନ ଅବଧିରେ ଧନେଇ ରିଜର୍ଭରରେ ସ୍ୱୟଂ ଚାଳିତଗେଟ୍ ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି। ସେହିଭଳି ଅନ୍ୟ ନଦୀବନ୍ଧ ଓ ଡ୍ୟାମ୍‌ର ରକ୍ଷଣାବେକ୍ଷଣା କାମ ହାତକୁ ନିଆଯାଇଛି। ବିରୋଧୀ ବିଭିନ୍ନ ପ୍ରକାର ଭୁଲ୍ ତଥ୍ୟ ଦେଇ ଅପପ୍ରଚାର କରୁଛନ୍ତି ଯେ, ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ କୌଣସି ଜଳସ୍ତରକୁ କମାଗଲା ନାହିଁ। ମାତ୍ର ସେମାନେ ଜାଣିବା ଦରକାର ଯେ, ଘୋଡ଼ାହାଡ଼ ଡ୍ୟାମ୍‌ରେ ଗତ ଅକ୍ଟୋବର ୨୮ ତାରିଖ ପୂର୍ବରୁ ୬୭.୯୫ ପ୍ରତିଶତ ଜଳ ଥିଲା, ତାକୁ କମ୍‌କରି ୬୨.୫୭ ପ୍ରତିଶତ କରାଗଲା। ହରଭଙ୍ଗୀରେ ୭୯.୦୯ ପ୍ରତିଶତ ଥିଲା, ତାକୁ କମ୍ କରି ୭୨.୮୧ ପ୍ରତିଶତ କରାଗଲା। ସୋରଡ଼ାରେ ୯୨.୧୧ ପ୍ରତିଶତ ଜଳ ଥିଲା, ତାକୁ କମ୍‌କରି ୮୬.୩୪ ପ୍ରତିଶତ କରାଗଲା । ସେହିପରି ବାହୁଦା, ବାଘଲଟି, ଦହ, ଧନେଇ ଓ ଘଟକେଶ୍ୱରରେ ମଧ୍ୟ ବାତ୍ୟା ପୂର୍ବରୁ ଜଳସ୍ତର କମେଇ ଦିଆଯାଇଥିଲା। ତେଣୁ ସରକାର ସମ୍ପୂର୍ଣ୍ଣ ରୂପେ ପୂର୍ବ ପ୍ରସ୍ତୁତି କରିଥିଲେ। କିନ୍ତୁ ବର୍ଷା ଯେଉଁ ପରିମାଣର ହେଲା ତାହା ସବୁ ରେକର୍ଡ ଭାଙ୍ଗି ଦେଇଛି। ସାଧାରଣତଃ ଅକ୍ଟୋବର ମାସରେ ବର୍ଷାର ହାରାହାରି ପରିମାଣ ପ୍ରାୟ ୧୯୦ ମିଲିମିଟର ଥିଲାବେଳେ ୨୦୨୬ ଅକ୍ଟୋବରରେ ଏହା ୨ ଗୁଣାରୁ ଅଧିକ ହୋଇ ୪୦୦ ମିଲିମିଟରରୁ ଅଧିକ ଥିଲା। ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ୫୦୦ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ଗଞ୍ଜାମ ଜିଲ୍ଲାରେ ହୋଇଥିଲା। ମାତ୍ର ୭ରୁ ୮ ଘଂଟା ମଧ୍ୟରେ ଏଭଳି ବର୍ଷା କେବିବି ଗଂଜାମରେ ହୋଇନଥିଲା । ଅକ୍ଟୋବର ୨୩ ତାରିଖରେ ବାତ୍ୟା ଅର୍ଣ୍ଣବ ସୂଚନା ଆସିବା ମାତ୍ରେ ସରକାରଙ୍କ ତରଫରୁ ଯଥେଷ୍ଟ ପ୍ରତିଶେଧମୂଳକ ପ୍ରସ୍ତୁତି କରାଯାଇ ଏସ୍‌ଆରସି, ଆଇଏମଡି, ସିଡବ୍‌ଲ୍ୟୁସି ଓ ଜିଲ୍ଲା ପ୍ରଶାସନ ଭଳି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇଥିଲା। ପ୍ରତ୍ୟେକ ଘଂଟାରେ ବର୍ଷାର ପରିମାଣ, ନଦୀର ଜଳ ପ୍ରବାହ, ଜଳ ଭଣ୍ଡାରର ସ୍ଥିତିର ସମୀକ୍ଷା କରାଯାଇଥିଲା। ବାତ୍ୟା ସମୟରେ ବିଜେପି ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବନ୍ୟା, ବାତ୍ୟାରେ ଯେଉଁ ସବୁ ଅଂଚଳରେ ରାସ୍ତାଘାଟ ଭାଙ୍ଗିଯାଇଥିଲା, ସେସବୁ ସ୍ଥାନରେ ମାତ୍ର ୨୪ ଘଂଟା ମଧ୍ୟରେ ରାସ୍ତା ତିଆରି କରି ଯୋଗାଯୋଗ ବ୍ୟବସ୍ଥା ପୁନସ୍ଥାପିତ କରାଯାଇଛି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯିବା ସହ ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍ ଏବଂ ରାଜ୍ୟ ସରକାରଙ୍କ ସବୁ ବିଭାଗର କର୍ମଚାରୀମାନେ ରିଲିଫ୍ କାର୍ଯ୍ୟରେ ସହଯୋଗ କରିଛନ୍ତି। ସେହି ଅଂଚଳରୁ ନିର୍ବାଚିତ ବିଜେପିର ୧୧ ଜଣ ବିଧାୟକ(ଯେଉଁଥିରୁ ୨ ଜଣ ମନ୍ତ୍ରୀ) ଓ ୩ ଜଣ ସାଂସଦ ନିରନ୍ତର ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସଭିଏଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ସାମିଲ ହୋଇ ଦିନରାତି ଏକ କରି ନିରନ୍ତର କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଏହି ଜିଲ୍ଲାର ଜଣେ କଂଗ୍ରେସ ବିଧାୟକ ପ୍ରଶଂସା କରିଛନ୍ତି। ମାତ୍ର ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ଏକମାତ୍ର ବିଜେଡି ବିଧାୟକ ନବୀନ ବାବୁକୁଆଡ଼େ ଗଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

ଏହି ପ୍ରାକୃତିକ ଦୁର୍ବିପାକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ତଃମନ୍ତ୍ରାଳୟସ୍ତରୀୟ ଏକ କମିଟି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ଆକଳନ କାର୍ଯ୍ୟ ଜାରି ରହିଥିବାବେଳେ ମଧ୍ୟ ବିଜେପିର ମୋହନ ମାଝୀଙ୍କ ସରକାରଙ୍କ ତରଫରୁ ଭରପୁର ସହାୟତା ଘୋଷଣା କରାଯାଇଛି। ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଯେତେ ପାକୃତିକ ଦୁର୍ବିପାକ ହୋଇଛି ସେତେବେଳେ ଘୋଷଣା ହୋଇଥିବା ସହାୟତାଠରୁ ଏହା ବହୁ ଅଧିକ ରହିଛି। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦, ଅଣସେଚିତ ଜମି ପାଇଁ ୮,୫୦୦ ଟଙ୍କା, ବାରମାସୀ ଫସଲ ପାଇଁ ୨୨,୫୦୦, ଓ ବାଲିଚର/ପଟୁମାଟି ହଟାଇବା ପାଇଁ ୧୮,୦୦୦ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍‌ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଂଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଂଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ। ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ କରାଯିବ। ପ୍ରଭାବିତ ଚାଷୀମାନଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍‌, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବା ପାଇଁ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ।

ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଂଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଟ୍ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଯେଉଁ ଘର ଗୁଡିକ ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଂଚଳ ପାଇଁ ୧,୨୦,୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଂଚଳ ପାଇଁ ୧,୩୦,୦୦୦ ଟଙ୍କା ହିସାବରେ ସହାୟତା ମିଳିବ।ଲୁଗାପଟା ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି।

ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି ଗାଈ ଓ ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪,୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାରବାହୀ ପଶୁ ଯଥା ଘୋଡ଼ା, ବଳଦ ଇତ୍ୟାଦି ପାଇଁ ୩୨,୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ,ଗଧ, ଘୋଡ଼ା, ଖଚର ଆଦି ପାଇଁ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପ୍ରଭାବିତ ଅଂଚଳର ୫,୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ମାଛ ଚାଷୀ ମାନଙ୍କ ପାଇଁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ôଥକ ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇ ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡି ପରିମାଣ ରାଜ୍ୟ ସରକାର ସିଧାସଳଖ ବ୍ୟାଙ୍କଗୁଡିକୁ ଯୋଗାଇଦେବେ। ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ କିମ୍ବା କିଓସ୍କ ପାଇଁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସହୟତା ପ୍ରଦାନ କରାଯିବ। ବୁଣାକାର ଓ କାରିଗରମାନଙ୍କୁ ସେମାନଙ୍କର ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ବ୍ୟକ୍ତି ପିଛା ୫,୦୦୦ ଟଙ୍କା ଏବଂ ସାମଗ୍ରୀ ନଷ୍ଟ ପାଇଁ କାରିଗର ପିଛା ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପ୍ରଭାବିତ ରେଶମ ଚାଷୀଙ୍କୁ ହେକ୍ଟର ପିଛା ୬,୦୦୦ ଟଙ୍କା ଏବଂ ମୁଗା ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନ୍‌ପୁଟ ସହାୟତା ଦିଆଯିବ।

ଏସବୁ ସହାୟତା କିପରି କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଂଚିବ ସେନଇ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏସବୁ କାର୍ଯ୍ୟକୁ ସୂଚାରୂ ରୂପେ ପରିଚାଳନା ପାଇଁ ଗଜପତି, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ନିମନ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱତନ୍ତ୍ରଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ସମ୍ପତି ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ସରକାରୀସ୍ତରରେ ତ୍ୱରିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦଳୀୟସ୍ତରରେ ମଧ୍ୟ ପ୍ରଭାବିତ ପରିବାରଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ ପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛିନ୍ତି।
ଏହି ପ୍ରେସବାର୍ତାରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।


Reporterspen