ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ନନ୍ଦନକାନନା ଆସିବେ ନୂଆ ଅତିଥି । ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନାରୁ ନନ୍ଦନକାନନକୁ ୨ଟି ରେଡ୍ ପାଣ୍ଡା, ୨ଟି ଗୋରାଲ ଏବଂ ଗୋଲ୍ଡେନ ଫିଜାଣ୍ଟ ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ । ତେବେ ଏହା ବଦଳରେ ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଏକ ଧଳା ବାଘ ଦିଆଯିବ । ଏନେଇ ଦୁଇ ରାଜ୍ୟ ମଧ୍ୟରେ ଏକ ବନ୍ୟପ୍ରାଣୀ ବିନିମୟ ଯୋଜନା ଚୂଡ଼ାନ୍ତ ହୋଇଛି ।
ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ନେବା ପାଇଁ ବର୍ଷ ବର୍ଷ ଧରି ଉତ୍ତରାଖଣ୍ଡ ବନ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ନିରନ୍ତର ଆଲୋଚନା ପରେ ଓଡ଼ିଶା ସରକାର ଉତ୍ତରାଖଣ୍ଡକୁ ଧଳା ବାଘ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ଏବଂ ଓଡିଶା ମଧ୍ୟରେ ବନ୍ୟପ୍ରାଣୀ ବିନିମୟ ପ୍ରସ୍ତାବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚୁକ୍ତିନାମା ଅନୁଯାୟୀ, ଓଡ଼ିଶା ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ଦେବ । ଏହା ବଦଳରେ ଉତ୍ତରାଖଣ୍ଡ ନୈନତାଲ ଚିଡିଆଖାନାରୁ ୨ଟି ଲାଲ ପାଣ୍ଡା ଓ ହଳେ ଗୋରାଲ ଦେବ । ଏହାସହ ଗୋଲ୍ଡେନ ଫିଜାଣ୍ଟ ଓ ସିଲଭର ଫିଜାଣ୍ଟ ନାମକ ପକ୍ଷୀ ମଧ୍ୟ ଉତ୍ତରାଖଣ୍ଡ, ନନ୍ଦନକାନନକୁ ଦେବ ।
ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ଆଣିବା ପାଇଁ ବହୁ ଦିନ ଧରି ପ୍ରୟାସ ଚାଲାଇଥିଲେ ଉତ୍ତରାଖଣ୍ଡ ସରକାର । କିନ୍ତୁ ଓଡ଼ିଶାର ସହମତି ଅଭାବରୁ ଏହି ପ୍ରକ୍ରିୟା ଅଟକି ଯାଇଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ, ଉଭୟ ରାଜ୍ୟ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସମ୍ମତି ଲୋଡ଼ିଛନ୍ତି, ଯାହା ଦ୍ୱାରା ନିୟମ ଅନୁଯାୟୀ ବନ୍ୟପ୍ରାଣୀ ସ୍ଥାନାନ୍ତର କରାଯାଇପାରିବ । ଉତ୍ତରାଖଣ୍ଡ ବନ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଆରକେ ମିଶ୍ର କହିଛନ୍ତି, “ଓଡିଶାରୁ ଏକ ଅଫିସିଆଲ ଚିଠି ମିଳିଛି । ଉତ୍ତରାଖଣ୍ଡକୁ ଧଳା ବାଘ ଆଣିବା ପ୍ରକ୍ରିୟା ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ । ବନ ବିଭାଗ ଦୀର୍ଘ ସମୟ ଧରି ଏଥିପାଇଁ କାମ କରିଆସୁଛି ଏବଂ ଏବେ ସକାରାତ୍ମକ ଫଳାଫଳ ସାମ୍ନାକୁ ଆସିଛି ।
“ସପେଟେ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଏକ ବାଘୁଣୀ ‘ଯମୁନା’କୁ ଆଣାଯାଇଥିଲା । ଏହର ପରବର୍ତ୍ତୀ ସମୟରେ ମହାରାଷ୍ଟ୍ରରୁ ପୁଣି ଏକ ବାଘୁଣୀ ‘ଜୀନତ’କୁ ୨୦୨୪ ନଭେମ୍ବର ୧୫ ତାରିଖରେ ଶମିଳିପାଳକୁ ଆଣାଯାଇଥିଲା ।

