- ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଓ ଆନାଡ୍ରୋନ୍ ସିଷ୍ଟମ୍ସ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ସମୃଦ୍ଧ ଶିଳ୍ପାୟନର ବ୍ଲୁ-ପ୍ରିଣ୍ଟ ଦେଖିଲେ ମୁଖ୍ୟମନ୍ତ୍ରୀ
- ମହିଳା କର୍ମଜୀବୀଙ୍କ ପାଇଁ ଇଭି ବସ୍ ଓ ଅତ୍ୟାଧୁନିକ ହଷ୍ଟେଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ପରିଦର୍ଶନ କରିଥିଲେ। କାରଖାନାର କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ।ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କର୍ମଚାରୀମାନଙ୍କ ଆଲୋଚନା କରିଛନ୍ତି।
କର୍ମଚାରୀମାନେ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆଉ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ। ଏଭଳି ବସ୍ତ୍ର ଶିଳ୍ପଗୁଡ଼ିକ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ Anadrone Systems Private Limitedର ସିଇଓ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରିଥିଲେ। ଅପରେସନ୍ “ସିନ୍ଦୂର”ରେ ଡ୍ରୋନ୍ Technology ର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡ୍ରୋନ୍ Technology ୧୦୦ ପ୍ରତିଶତ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରୁଛି ଏବଂ ସେମାନେ ଦେଶକୁ ସୁରକ୍ଷିତ ରଖିବାରେ ବିଶେଷ ଭୂମିକା ରଖୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

