E20 ପେଟ୍ରୋଲରେ ୬% ପର୍ଯ୍ୟନ୍ତ ମାଇଲେଜ୍ କମିପାରେ, କିନ୍ତୁ ଇଞ୍ଜିନ ଖରାପ ହେବାର ପ୍ରମାଣ ନାହିଁ: ନିତିନ ଗଡକରୀ

Reporterspen

ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ (E20) ବ୍ୟବହାର କରିବା ଫଳରେ ଯାନବାହନର ମାଇଲେଜ୍ ୨ରୁ ୬ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ତେବେ E20 ପେଟ୍ରୋଲ ବ୍ୟବହାର ଯୋଗୁଁ ଇଞ୍ଜିନ ଖରାପ କିମ୍ବା ଫେଲ୍ ହେଉଥିବାର କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଲୋକସଭାରେ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି।

ଗଡକରୀ କହିଛନ୍ତି ଯେ, ଯାନର ଶ୍ରେଣୀ ଓ ବୟସ ଅନୁଯାୟୀ ଇନ୍ଧନ ଦକ୍ଷତା (ଫ୍ୟୁଏଲ୍ ଏଫିସିଏନ୍ସି)ରେ ସାମାନ୍ୟ ହ୍ରାସ ଦେଖାଯାଇପାରେ। ଏହାକୁ ନେଇ ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI), ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚରର୍ସ (SIAM) ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ପକ୍ଷରୁ ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏହି ଅଧ୍ୟୟନରେ BS-III, BS-IV ଓ BS-VI ମାନକର ଦୁଇଚକିଆ ଏବଂ ଚାରିଚକିଆ ପେଟ୍ରୋଲ ଯାନକୁ ସାମିଲ କରାଯାଇଥିଲା।

ମନ୍ତ୍ରୀ କହିଛନ୍ତି ଯେ, E20 ଇନ୍ଧନ ବ୍ୟବହାର କଲେ ମାଇଲେଜ୍ ସାମାନ୍ୟ କମିଥାଏ, କିନ୍ତୁ ଗାଡ଼ିର ଏକ୍ସିଲେରେସନ୍ ଏବଂ ଡ୍ରାଇଭିଂ ଅନୁଭୂତିରେ ସୁଧାର ଆସିଥାଏ। ଏହା ସହ E10 ପେଟ୍ରୋଲ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍ କାର୍ବନ ନିର୍ଗମନ ହୋଇଥାଏ।

ସେ କହିଛନ୍ତି, ଇଞ୍ଜିନର କ୍ଷମତା ଯାଞ୍ଚ ପାଇଁ ଡାଇନାମୋମିଟର ଟେଷ୍ଟ ଓ ସଡ଼କ ପରୀକ୍ଷା କରାଯାଇଥିଲା। ଏହି ସମସ୍ତ ପରୀକ୍ଷାରେ E20 ପେଟ୍ରୋଲ ବ୍ୟବହାର ଯୋଗୁଁ ଇଞ୍ଜିନ ଖରାପ ହେବା କିମ୍ବା କୌଣସି ବଡ଼ ଯାନ୍ତ୍ରିକ ସମସ୍ୟା ଦେଖାଯାଇନଥିବା ସ୍ପଷ୍ଟ ହୋଇଛି।

ପୁରୁଣା ଯାନରେ E20 ବ୍ୟବହାରକୁ ନେଇ ଉଠୁଥିବା ଆଶଙ୍କା ସମ୍ପର୍କରେ ସରକାର କହିଛନ୍ତି ଯେ, ବୈଜ୍ଞାନିକ ପରୀକ୍ଷା ପରେ ପର୍ଯ୍ୟାୟକ୍ରମେ ଏହି ଇନ୍ଧନକୁ ଲାଗୁ କରାଯାଇଛି। ନୀତି ଆୟୋଗ, ତୈଳ କମ୍ପାନୀ, ଯାନ ନିର୍ମାତା, ARAI, SIAM ଓ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ ସହ ବିଭିନ୍ନ ସଂସ୍ଥାର ସହଯୋଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି।

ଗଡକରୀଙ୍କ ସୂଚନା ଅନୁଯାୟୀ, ଭାରତରେ ଇଥାନଲ୍ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ୨୦୦୧ ମସିହାରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା। ୨୦୦୬ରେ E5 ପେଟ୍ରୋଲ ଆରମ୍ଭ ହୋଇଥିଲା। E15+ ପେଟ୍ରୋଲ ସାଢ଼େ ତିନି ବର୍ଷରୁ ଅଧିକ ସମୟ ଧରି ଏବଂ E19-E20 ଇନ୍ଧନ ଗତ ଢାଇ ବର୍ଷରୁ ଅଧିକ ସମୟ ଧରି ବ୍ୟବହୃତ ହେଉଛି।

ବର୍ତ୍ତମାନ ଦେଶରେ ୨୦ କୋଟିରୁ ଅଧିକ ଦୁଇଚକିଆ ଯାନ ଓ ୩ କୋଟିରୁ ଅଧିକ ପେଟ୍ରୋଲ କାର ଇଥାନଲ୍ ମିଶ୍ରିତ ଇନ୍ଧନରେ ଚାଲୁଥିବା ବେଳେ, ବ୍ୟାପକ ଭାବେ ଇଞ୍ଜିନ ଖରାପ ହେବାର କୌଣସି ଘଟଣା ଏପର୍ଯ୍ୟନ୍ତ ସରକାରଙ୍କ ନଜରକୁ ଆସିନାହିଁ।


Reporterspen