ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନର ଆଉ ୯୧ ସ୍ୱତନ୍ତ୍ର ପ୍ୟାକେଜ ସାମିଲ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍‌.ଜେ.ଏ.ୱାଇ.) ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ର ସମନ୍ୱିତ ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରାଯାଇଛି । ଏହା ଫଳରେ ରାଜ୍ୟର କ୍ୟାନସର ରୋଗୀମାନେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, କ୍ୟାନସର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ଦେୟମୁକ୍ତ ଚିକିତ୍ସା ଯୋଗାଇଦେବେ । ୨୦୨୬-୨୭ ବଜେଟରେ ଏଥି ନିମନ୍ତେ ୩୧୧ କୋଟି ପ୍ରବଧାନ କରାଯାଇଛି । ଗୋଷ୍ଠୀ ସଚେତନତା, ମୋବାଇଲ କ୍ୟାମ୍ପ, ଡିଜିଟାଲ-ହବ ଏବଂ ସ୍ପେକ ମଡେଲ ଏବଂ ମାଗଣା ଯାତାୟତ ସୁବିଧା ନିମନ୍ତେ ଖର୍ଚ୍ଚ ହେବ । ଓଡ଼ିଶାରେ ଏ.ବି.ପି.ଏମ୍‌.ଜେ.ଏ.ୱାଇ. ଓ ଜି.ଜେ.ଏ.ୱାଇ.ର ସମନ୍ୱିତ କାର୍ଯ୍ୟକାରିତା ଆରମ୍ଭ ବେଳେ ଏହି ଯୋଜନାରେ ୨୧୬୩ଟି ଚିକିତ୍ସା ପ୍ୟାକେଜ ଉପଲବ୍ଧ ଥିଲା । ବର୍ତ୍ତମାନ ୯୧ଟି ନୂତନ ପ୍ୟାକେଜ ସାମିଲ ହେବା ପରେ ମୋଟ ଚିକିତ୍ସା ପ୍ୟାକେଜର ସଂଖ୍ୟା ୨୨୫୪ରେ ପହଞ୍ଚିଛି ।

କ୍ୟାନସର ଭଳି ଜଟିଳ ଓ ପ୍ରାଣଘାତୀ ରୋଗରେ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଏବଂ ବୈଜ୍ଞାନିକ ଚିକିତ୍ସା ଅତ୍ୟନ୍ତ ଜରୁରୀ । ଏହି ରୋଗର ଚିକିତ୍ସା ସର୍ଜରୀ, କେମୋଥେରାପି, ରେଡିଏସନ, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ବହୁ ବିଭାଗର ସମନ୍ୱିତ ଚିକିତ୍ସା ପଦ୍ଧତି ଉପରେ ନିର୍ଭରଶୀଳ । ସାଧାରଣ ଲୋକ ଏହି ରୋଗରେ ପୀଡିତ ହୋଇ ଖର୍ଚ୍ଚାନ୍ତ ହେଉଥିବାରୁ ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି କ୍ୟାନସର ଚିକିତ୍ସା ପ୍ୟାକେଜକୁ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସାମିଲ କରିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏହି ୯୧ଟି ପ୍ୟାକେଜକୁ ଅନୁମୋଦନ କରି ଏ.ବି.ପି.ଏମ୍‌.ଜେ.ଏ.ୱାଇ.–ଜି.ଜେ.ଏ.ୱାଇ. ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରିଛନ୍ତି । ଏହି ସମସ୍ତ ପ୍ୟାକେଜ ଅନୁଯାୟୀ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ ପାଇଁ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନୂତନ ବ୍ୟବସ୍ଥାର ସୁଫଳ ରାଜ୍ୟର ଅନେକ କ୍ୟାନସର ରୋଗୀ ଇତିମଧ୍ୟରେ ପାଇବା ଆରମ୍ଭ କରିଛନ୍ତି ।


Reporterspen