ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ତିନିଦିନିଆ ଓଡ଼ିଶା ଗସ୍ତ ସାରି ଆଜି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିଲ୍ଲୀ ଫେରିଯାଇଛନ୍ତି । ଏୟାରପୋର୍ସର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଦିଲ୍ଲୀ ପେରିଛନ୍ତି । ଆଜି ସକାଳୁ ସେ ଗ୍ରହ୍ମପୁର ଗସ୍ତ ସାରି ଭୁବନେଶ୍ୱର ଫେରିଥିଲେ ।
ସୂଚନାନୁସାରେ, ଗତକାଲି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ସ୍ୱତନ୍ତ୍ର ‘ସେଲୋନ୍ ଟ୍ରେନ’ରେ ଯାତ୍ରା କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ତପ୍ତପାଣିରେ ଆଦିବାସୀ ସମ୍ପ୍ରଦାୟର ଆରାଧ୍ୟ ମା\’ କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସରରେ ବାବା ନୀଳକଣ୍ଠଶ୍ୱରଙ୍କୁ ଦର୍ଶନ କରିଥିଲେ । ପ୍ରୋଟୋକଲ୍ ଭାଙ୍ଗି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ‘ ବ୍ରହ୍ମପୁର ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସକମାନେ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର-ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।
ଆଜି ବ୍ରହ୍ମପୁରରୁ ଆସି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାଜଭବନକୁ ଯାଇଥିଲେ । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ଦିଲ୍ଲୀ ଫେରିଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।’

