କାଠମାଣ୍ଡୁ: ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିବାରୁ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଉଭୟ ହେଲିକପ୍ଟରର ପାଇଲଟ୍ଙ୍କ ସମେତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ନେପାଳ ପୁଲିସ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି।
ସୂଚନା ଅନୁଯାୟୀ, ନେପାଳର ସୋଲୁଖୁମ୍ବୁ ଜିଲ୍ଲା ଅନ୍ତର୍ଗତ ଫେରିଚେ ହେଲିପ୍ୟାଡ୍ରେ ଏହି ଦୁର୍ଘଟଣା ଘଟିଛି। ଫିଷ୍ଟେଲ୍ ଏୟାର ଏବଂ ଏୟାର ଡାଇନାଷ୍ଟି କମ୍ପାନୀର ଦୁଇଟି ହେଲିକପ୍ଟର ବରଫାବୃତ ଅଞ୍ଚଳରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଥିଲେ। ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୮ଟା ୧୧ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିବା କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି।
ମୃତକ ଭାରତୀୟ ନାଗରିକ ଚିହ୍ନଟ
ଦୁର୍ଘଟଣାରେ ଫିଷ୍ଟେଲ୍ ଏୟାରର ହେଲିକପ୍ଟରରେ ଯାତ୍ରା କରୁଥିବା ଜଣେ ଭାରତୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୋଲୁଖୁମ୍ବୁ ଜିଲ୍ଲା ପୁଲିସ ମୁଖ୍ୟ ମୌସମ ତାମାଙ୍ଗ ମୃତକଙ୍କ ପରିଚୟ ବସନ୍ତ କୁମାର ବଲରାମରାମାଡୁ ବୋଲି ଜଣାଇଛନ୍ତି। ତାଙ୍କ ମୃତଦେହକୁ ଲୁକ୍ଲାସ୍ଥିତ ଏକ ହସ୍ପିଟାଲକୁ ପଠାଯାଇଛି।
https://x.com/danielmazur/status/2117477702257320412?a=Qsks_udn_bUHHYVj9_A&s=20
ଅନ୍ୟପକ୍ଷରେ ଏୟାର ଡାଇନାଷ୍ଟିର ହେଲିକପ୍ଟରର ପାଇଲଟ୍ କ୍ୟାପଟେନ୍ ରବୀନ୍ଦ୍ର ପ୍ରଜାପତିଙ୍କ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଫିଷ୍ଟେଲ୍ ଏୟାରର ହେଲିକପ୍ଟରକୁ କ୍ୟାପଟେନ୍ ପ୍ରଜ୍ଜ୍ୱଳ କେ.ସି. ଉଡ଼ାଉଥିବା ବେଳେ ଏୟାର ଡାଇନାଷ୍ଟିର ହେଲିକପ୍ଟର ଦାୟିତ୍ୱରେ କ୍ୟାପଟେନ୍ ରବୀନ୍ଦ୍ର ପ୍ରଜାପତି ଥିଲେ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସିମ୍ରିକ୍ ଏୟାରର ଅନ୍ୟ ଏକ ହେଲିକପ୍ଟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ଭାଇରାଲ
ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଭିଡିଓରେ ଧକ୍କା ପରେ ବରଫାବୃତ ପାହାଡ଼ିଆ ଅଞ୍ଚଳରେ ଥିବା ଅବତରଣ ସ୍ଥଳରେ ଦୁଇଟି ହେଲିକପ୍ଟର କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟାନ୍ୟ ଦିଗ ନେଇ ଅଧିକାରୀମାନେ ତଦନ୍ତ କରୁଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

