ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଜମି କିଣାଇଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମିଶନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀମନ୍ତ କଳସ (୬୩) ଏବଂ ତାଙ୍କ ପତ୍ନୀ ସୌମ୍ୟା ସୁଭଦର୍ଶିନୀ କଳସ (୪୩) । ଉଭୟଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନାରେ ଏନେଇ କେସ୍ ନଂ ୫୫/୨୦୨୬, ତାରିଖ ୧୯.୦୧.୨୦୨୬ରେ ମାମଲା ରୁଜୁ ହୋଇଥିଲା । କୈବଲ୍ୟ ବିହାରର ବାସିନ୍ଦା ସୁଧୀର କୁମାର ପାଣିଗ୍ରାହୀ (୪୧) ଏହି ଠକେଇ ନେଇ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁସାରେ, ଶ୍ରୀମନ୍ତ କଳସ ନିଜକୁ ଜଣେ ଜମି ଦଲାଲ ବୋଲି ପରିଚୟ ଦେବା ସହ ଶହୀଦନଗରସ୍ଥିତ ପ୍ଲଟ୍ ନଂ ଏ-୩୫୭ର ମାଲିକଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା କହିଥିଲେ । ଏହି ଜମି କିଣାଇଦେବାର ପ୍ରତିଶ୍ରୁତି ଦେଇ ସେ ଅଭିଯୋଗକାରୀଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ନେଇଥିଲେ । ୧୫ ଜାନୁଆରୀ ୨୦୨୧ରୁ ୯ ଅଗଷ୍ଟ ୨୦୨୨ ମଧ୍ୟରେ ପ୍ରାୟ ୧ କୋଟି ଟଙ୍କା ବ୍ୟାଙ୍କ ଜରିଆରେ ଏବଂ ୪୭ ଲକ୍ଷ ୬୦ ହଜାର ଟଙ୍କା ନଗଦ ଆକାରରେ ନିଆଯାଇଥିଲା ।
ତେବେ ଟଙ୍କା ନେବା ପରେ ଅଭିଯୁକ୍ତ ଜଣକ ବିଭିନ୍ନ ଆଳ ଦେଖାଇ ଜମିର ବିକ୍ରୟ ଦଲିଲ ପ୍ରସ୍ତୁତ ଓ ପଞ୍ଜୀକରଣ କରିବାରେ ଟାଳଟୁଳ କରିଥିଲେ । ପରେ ଅଭିଯୋଗକାରୀ ଖୋଳତାଡ଼ କରିବାରୁ ପ୍ରକୃତ ଜମି ମାଲିକଙ୍କ ସହ ଅଭିଯୁକ୍ତଙ୍କର କୌଣସି ଆଇନଗତ ସମ୍ପର୍କ ନଥିବା ଜଣାପଡ଼ିଥିଲା । ଏପରିକି ଜାଲ୍ ଓ ନକଲି କାଗଜପତ୍ର ବ୍ୟବହାର କରି ଠକେଇ କରାଯାଇଥିବା ତଦନ୍ତରୁ ସନ୍ଦେହ କରାଯାଇଛି ।
ତଦନ୍ତ ବେଳେ ଠକେଇ ଟଙ୍କାକୁ ଶିଳ୍ପ ପ୍ରତିଷ୍ଠାନରେ ବିନିଯୋଗ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଖୋର୍ଦ୍ଧାର ମୁକୁନ୍ଦପ୍ରସାଦସ୍ଥିତ “ମେସର୍ସ ଶ୍ରୀଟେକ୍ ଇଣ୍ଡଷ୍ଟ୍ରିଜ୍’ ଏବଂ ଚୌଦ୍ୱାର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ସ୍ଥିତ “ସୋମ୍ୟାଶ୍ରୀ ମେଟାଲ୍ ଆଣ୍ଡ ମେସିନାରିଜ୍’ରେ ଏହି ଅର୍ଥ ବିନିଯୋଗ ହୋଇଥିବା ଜଣାପଡ଼ିଛି । ଏହି ଦୁଇଟି ଶିଳ୍ପ ସଂସ୍ଥାରେ ଅଭିଯୁକ୍ତା ସୌମ୍ୟା ସୁଭଦର୍ଶିନୀ କଳାସ ନିର୍ଦ୍ଦେଶିକା ଥିବା ତଦନ୍ତରୁ ଜଣାପଡ଼ିଛି ।
ମାମଲାର ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ବିଏନ୍ଏସ୍ଏସ୍ର ଧାରା ୧୮୦ ଅନୁଯାୟୀ ରେକର୍ଡ କରିବା ସହ ବିଭିନ୍ନ ଦସ୍ତାବିଜ୍ ଓ ବ୍ୟାଙ୍କ କାରବାର ସମ୍ପର୍କିତ ପ୍ରମାଣ ସଂଗ୍ରହ କରିଥିଲେ ।
ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ପୁଲିସ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଓଡି-୦୨-ବିଭି-୩୪୧୩ ନମ୍ବର ବିଶିଷ୍ଟ ଏକ ମାରୁତି ୱାଗନ୍ଆର୍ କାର୍ ଜବତ କରାଯାଇଛି । ଏଥିସହ ମାମଲା ସମ୍ପର୍କିତ ଏମ୍ଓୟୁ ଦସ୍ତାବିଜ୍ ଓ ଅଭିଯୋଗକାରୀଙ୍କ ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ମଧ୍ୟ ଜବତ ହୋଇଛି ।
ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି । ଠକେଇ ଟଙ୍କାର ସମ୍ପୂର୍ଣ୍ଣ ଆର୍ôଥକ କାରବାରର ତଥ୍ୟ, ଠକେଇର ପରିମାଣ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି ।

