କଂଗ୍ରେସର ଅଭିଯୋଗ ଓ ବାସ୍ତବିକ ତଥ୍ୟ

Reporterspen

ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନରେ କୌଣସି ରାଜନୈତିକ ଦଳର ଜିତିବା ଓ ହାରିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଜିତିଲେ ଜନାଦେଶକୁ ସମ୍ମାନ ଦେବା ଓ ହାରିଲେ ପରାଜୟର କାରଣ ଖୋଜିବା ଦଳର କର୍ତ୍ତବ୍ୟ। କିନ୍ତୁ କଂଗ୍ରେସର ରାଜନୀତିରେ ଏକ ଭିନ୍ନ ଧାରା ବାରମ୍ବାର ଦେଖିବାକୁ ମିଳୁଛି। କଂଗ୍ରେସ ନିର୍ବାଚନରେ ପରାଜିତ ହେଲେ ଦଳର ନେତୃତ୍ୱ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ପରାଜୟର ଦୋଷ ଅନ୍ୟମାନଙ୍କ ମୁଣ୍ଡରେ ଲଦୁଛନ୍ତି। କଂଗ୍ରେସ କେତେବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ଉପରେ ସନ୍ଦେହ ପ୍ରକାଶ କରୁଛି, ତ କେତେବେଳେ ନିର୍ବାଚନ ଆୟୋଗ ଉପରେ ନିଜ ପରାଜୟର ଦୋଷ ଲଦୁଛି। ଏବେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍‌ଆଇଆର୍‌କୁ ନେଇ ମଧ୍ୟ କଂଗ୍ରେସ ସେହିପରି ଅଭିଯୋଗ ଆଣୁଛି। ଏଠାରେ ପ୍ରଶ୍ନ ହେଉଛି, କଂଗ୍ରେସର ପ୍ରତ୍ୟେକ ଅଭିଯୋଗ ପଛରେ ବାସ୍ତବରେ କିଛି ପ୍ରମାଣ ଓ ତଥ୍ୟ ଅଛି? ନା କେବଳ ସନ୍ଦେହ ସୃଷ୍ଟି କରି ଦେଶର ନିର୍ବାଚନ ବ୍ୟବସ୍ଥାକୁ ଦୋଷୀ ସାବ୍ୟସ୍ତ କରୁଛି?

୨୦୧୪ ଲୋକସଭା ନିର୍ବାଚନରେ ବଡ଼ ପରାଜୟ ପରେ କଂଗ୍ରେସର କେତେକ ନେତା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ଉପରେ ସନ୍ଦେହ ପ୍ରକାଶ କରିଥିଲେ। ୨୦୧୭ରେ ଏହି ବିବାଦ ତୀବ୍ର ହେବାରୁ ନିର୍ବାଚନ କମିଶନ ମେ ମାସ ୧୨ ତାରିଖରେ ୪୨ଟି ରାଜନୈତିକ ଦଳଙ୍କ ସହ ବୈଠକ କରିଥିଲେ। ଏହାପରେ ମେ ମାସ ୨୦ ତାରିଖରେ ଇଭିଏମ୍‌ରେ ହେରଫେର ବା ହ୍ୟାକ ହୋଇପାରିବ ବୋଲି ଦାବି କରୁଥିବା ଦଳମାନଙ୍କୁ ନିର୍ଦ୍ଧାରିତ ନିୟମ ମଧ୍ୟରେ ତାହା ପ୍ରମାଣ କରିବାକୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଜୁନ୍‌ ୩ ତାରିଖରେ ଆୟୋଜିତ ଏହି ଚ୍ୟାଲେଞ୍ଜରେ କଂଗ୍ରେସ ଅଂଶଗ୍ରହଣ ପାଇଁ ନାମ ପଞ୍ଜୀକରଣ କଲା ନାହିଁ ଓ ଚ୍ୟାଲେଞ୍ଜରେ ଭାଗ ମଧ୍ୟ ନେଲା ନାହିଁ। ଏଠାରେ ସ୍ୱାଭାବିକ ପ୍ରଶ୍ନ ଉଠୁଛି, ଯଦି କଂଗ୍ରେସର ଇଭିଏମ୍‌ ଉପରେ ଏତେ ବଡ଼ ସନ୍ଦେହ ଥିଲା, ତେବେ ନିଜ ଅଭିଯୋଗକୁ ପ୍ରମାଣ କରିବାର ସୁଯୋଗ ମିଳିବା ସତ୍ତ୍ୱେ ଦଳ ଆଗକୁ ଆସିଲା ନାହିଁ କାହିଁକି?

ଏବେ କଂଗ୍ରେସର ଆକ୍ରମଣର କେନ୍ଦ୍ରରେ ରହିଛି ଏସ୍‌ଆଇଆର୍‌ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। କଂଗ୍ରେସର ଅଭିଯୋଗ ହେଉଛି ଯେ, ନିର୍ବାଚନ କମିଶନ ଏହା ମାଧ୍ୟମରେ କୋଟି କୋଟି ଲୋକଙ୍କ ଭୋଟ ଦେବା ଅଧିକାର ଛଡ଼ାଇ ନେଇଛି। କେତେକ କଂଗ୍ରେସ ନେତା ଏହାକୁ ନିର୍ବାଚନରେ ହେରଫେର କରିବାର ଏକ ଉପାୟ ବୋଲି ମଧ୍ୟ ଦାବି କରୁଛନ୍ତି। ଏହା ଏକ ଗମ୍ଭୀର ଅଭିଯୋଗ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ, ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ପ୍ରାୟ ୧୩ କୋଟିରୁ ଅଧିକ ନାମ ମତଦାତା ତାଲିକାରୁ ବାଦ ଦେଇଛି। କିନ୍ତୁ ଏହାର ବାସ୍ତବତା କ’ଣ?

ତେଣୁ ପ୍ରଥମେ ଏହା ବୁଝିବା ଆବଶ୍ୟକ ଯେ ମତଦାତା ତାଲିକାରେ ସଂଶୋଧନ କାହିଁକି କରାଯାଏ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ନାମ ମତଦାତା ତାଲିକାରେ ରହିଯିବା, ଜଣେ ମତଦାତାଙ୍କ ନାମ ଦୁଇଟି ଭିନ୍ନ ନିର୍ବାଚନ କ୍ଷେତ୍ରରେ ଥିବା, କୌଣସି ବ୍ୟକ୍ତି ସ୍ଥାୟୀ ଭାବେ ଅନ୍ୟତ୍ର ବସବାସ ପାଇଁ ବିସ୍ଥାପିତ ହେବା କିମ୍ବା ତାଲିକାରେ ଭୁଲ୍‌ ତଥ୍ୟ ରହିବା, ଏସବୁ ସଂଶୋଧନ କରିବା ନିର୍ବାଚନ କମିଶନର ନିୟମିତ ଦାୟିତ୍ୱ। ଶୁଦ୍ଧ ମତଦାତା ତାଲିକା ବିନା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସମ୍ଭବ ନୁହେଁ।

ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଦେଶରେ ତିନୋଟି ପର୍ଯ୍ୟାୟରେ ପ୍ରାୟ ୯୫.୪୦ କୋଟି ମତଦାତାଙ୍କ ତଥ୍ୟ ଯାଞ୍ଚ କରାଯାଇଥିଲା। ସେଥିରୁ ୧୩.୩୯ କୋଟି ଏଣ୍ଟ୍ରିକୁ ଅନୁପସ୍ଥିତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ମୃତ, ଦୁଇ ଥର ପଞ୍ଜୀକୃତ ଓ ଅନ୍ୟାନ୍ୟ ଶ୍ରେଣୀରେ ଚିହ୍ନଟ କରାଯାଇଥିଲା। ଏହା ମଧ୍ୟରେ ପ୍ରାୟ ୬.୩୦ କୋଟି ସ୍ଥାୟୀ ଭାବେ ଠିକଣା ପରିବର୍ତ୍ତନ କରିଥିବା, ୩.୦୧ କୋଟି ଅନୁପସ୍ଥିତ ବା ଚିହ୍ନଟ ହୋଇପାରିନଥିବା, ୨.୮୦ କୋଟି ମୃତ, ୧.୦୨ କୋଟି ଦୁଇ ଥର ପଞ୍ଜୀକରଣ କରିଥିବା ଏବଂ ୨୬ ଲକ୍ଷ ଅନ୍ୟାନ୍ୟ ଶ୍ରେଣୀରେ ଥିଲେ। ଏଗୁଡ଼ିକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରାରମ୍ଭିକ ତଥ୍ୟ, ପ୍ରତ୍ୟେକ ମାମଲାର ଶେଷ ନ୍ୟାୟିକ ନିଷ୍ପତ୍ତି ନୁହେଁ।

ଏହି ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ୧୩.୩୯ କୋଟି ନାମ ଚିହ୍ନଟ ହେବାର ଅର୍ଥ ୧୩.୩୯ କୋଟି ବୈଧ ଭାରତୀୟ ନାଗରିକଙ୍କ ଭୋଟ ଅଧିକାର ସ୍ଥାୟୀ ଭାବେ ଛଡ଼ାଇ ନିଆଗଲା ବୋଲି ଧରିନେବା ନ୍ୟାୟିକ ଦୃଷ୍ଟିରୁ ଅନୁଚିତ। କଂଗ୍ରେସ ଯଦି ବାସ୍ତବରେ ବୈଧ ମତଦାତାଙ୍କ ଅଧିକାର ନେଇ ଚିନ୍ତିତ, ତେବେ ନିର୍ଦ୍ଦିଷ୍ଟ ନାମ, ବୁଥ୍‌ ଓ ଦଲିଲ୍‌ ଉପସ୍ଥାପନ କରି ନିଜ ଦଳର ବୁଥ୍‌ ଲେଭେଲ୍‌ ଏଜେଣ୍ଟ, ଜିଲ୍ଲା ସଭାପତି କିମ୍ବା ରାଜ୍ୟ ସଭାପତିଙ୍କ ମାଧ୍ୟମରେ ତାଲିକାରେ ଥିବା ଭୁଲ୍‌ ସଂଶୋଧନ କରାଇବା ପାଇଁ ଆଗକୁ ଆସିବା ଉଚିତ। ଏଠାରେ ଏହା ମଧ୍ୟ ମନେ ରଖିବା ଆବଶ୍ୟକ ଯେ ମତଦାତା ତାଲିକାର ସଂଶୋଧନ ପ୍ରକ୍ରିୟା ଚାଲିଥିବା ସମୟରେ କଂଗ୍ରେସର ବୁଥ୍‌ ଲେଭେଲ୍‌ ଏଜେଣ୍ଟ, ଜିଲ୍ଲା ସଭାପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହି ପ୍ରକ୍ରିୟାରେ ସହଭାଗୀ ଥିଲେ। ତେଣୁ ଏବେ ଦେଶରେ ଅରାଜକତା ସୃଷ୍ଟି କରିବା ଅପେକ୍ଷା ମତଦାତା ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଦିଗରେ କଂଗ୍ରେସ ପଦକ୍ଷେପ ନେଲେ, ତାହା ଲକ୍ଷ ଲକ୍ଷ ନାଗରିକଙ୍କ ପାଇଁ ଅଧିକ ଉପଯୋଗୀ ହେବ।

ଆଇନର ଦୃଷ୍ଟିରୁ ମଧ୍ୟ ପ୍ରସଙ୍ଗଟି ସ୍ପଷ୍ଟ। ଭାରତୀୟ ସମ୍ବିଧାନର ଧାରା ୩୨୪ ନିର୍ବାଚନ ପରିଚାଳନାର ଦାୟିତ୍ୱ ନିର୍ବାଚନ କମିଶନକୁ ଦେଇଛି। ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୧(୩) ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି। ୨୭ ମେ ୨୦୨୬ରେ ସର୍ବୋଚ୍ଚ ନ୍ୟାୟାଳୟ ବିହାରର ଏସ୍‌ଆଇଆର୍‌ ସମ୍ପର୍କିତ ମାମଲାରେ ଏହି କ୍ଷମତାକୁ ସ୍ୱୀକୃତି ଦେଇଥିଲା।

ଏଭଳି ସଘନ ସଂଶୋଧନ ଭାରତର ନିର୍ବାଚନୀ ଇତିହାସରେ ନୂଆ ନୁହେଁ। ନିର୍ବାଚନ ଆୟୋଗର ସରକାରୀ ନଥି ଏହାର ସ୍ପଷ୍ଟ ପ୍ରମାଣ ଦେଉଛି। ନିର୍ବାଚନ ଆୟୋଗର ନଥିରେ ୧୯୫୨-୫୬, ୧୯୫୭, ୧୯୬୧, ୧୯୬୫, ୧୯୬୬, ୧୯୮୩-୮୪, ୧୯୮୭-୮୯, ୧୯୯୨, ୧୯୯୩, ୧୯୯୫, ୨୦୦୨, ୨୦୦୩ ଓ ୨୦୦୪ ମସିହାରେ ବିଭିନ୍ନ ରାଜ୍ୟରେ ମତଦାତା ସୂଚୀରେ ସଂଶୋଧନ ହୋଇଥିବାର ଉଲ୍ଲେଖ ମିଳେ। ବିଶେଷକରି ୨୯ ଜୁନ୍‌ ୨୦୦୪ର ନିର୍ବାଚନ ଆୟୋଗର ଏକ ସରକାରୀ ପ୍ରେସ୍‌ ବିଜ୍ଞପ୍ତି ଏହି ବିତର୍କରେ ଗୁରୁତ୍ୱପୂର୍ଣ୍ଣ। ସେଥିରେ ଉତ୍ତର-ପୂର୍ବର ସାତଟି ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର ପାଇଁ ମତଦାତା ସୂଚୀର ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ସେଥିରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା। ସେତେବେଳେ କେନ୍ଦ୍ରରେ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲା। ଯେଉଁ ପ୍ରକ୍ରିୟା ଦଶନ୍ଧି ଦଶନ୍ଧି ଧରି ନିର୍ବାଚନ ପ୍ରକ୍ରିୟାର ଅଂଶ ,ତାହାକୁ କେବଳ ବର୍ତ୍ତମାନର ଶାସକ ଦଳ ସହ ଯୋଡ଼ି ଦେଖିବା କୌଣସି ପୂର୍ଣ୍ଣ ଛବିର ଅଧା ଚିତ୍ର ଦେଖାଇବା ସହ ସମାନ।

ଏସ୍‌ଆଇଆର୍‌ ସମ୍ପର୍କରେ ମୂଳ ପ୍ରଶ୍ନ ହେଉଛି, ଭୋଟ ଦେବାର ଅଧିକାର କାହାର? ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୧୬, ୧୭ ଓ ୧୮ ଅନୁସାରେ ଅଣଭାରତୀୟ ନାଗରିକଙ୍କ ପଞ୍ଜୀକରଣ ଓ ଜଣେ ବ୍ୟକ୍ତିର ଏକାଧିକ ସ୍ଥାନରେ ନାମ ରହିବା ନିଷିଦ୍ଧ। ୪ ଡିସେମ୍ବର ୨୦୧୨ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ୱୀକାର କରିଥିଲା ଯେ କେତେକ ଅବୈଧ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଠକେଇ ମାଧ୍ୟମରେ ଭୋଟର ପରିଚୟପତ୍ର ସମେତ ବିଭିନ୍ନ ସରକାରୀ ଦଲିଲ୍‌ ହାସଲ କରିଛନ୍ତି। ତେଣୁ ଭାରତୀୟ ମତଦାତାଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ଅବୈଧ ଓ ଅନୁପ୍ରବେଶକାରୀମାନଙ୍କୁ ମତଦାତା ସୂଚୀରୁ ଆଇନ ଅନୁସାରେ ବାଦ ଦେବା ମଧ୍ୟ ଜରୁରୀ।

ଏହି ପରିପ୍ରେକ୍ଷୀରେ ଏକ ଗମ୍ଭୀର ପ୍ରଶ୍ନ ଉଠୁଛି ଯେ କଂଗ୍ରେସ କାହିଁକି ବାରମ୍ବାର ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ଅବିଶ୍ୱାସ ସୃଷ୍ଟି କରି ଦେଶରେ ଅରାଜକତା ତିଆରି କରୁଛି ଏବଂ ତାହାର ରାଜନୈତିକ ଲକ୍ଷ୍ୟ ପଛରେ କୌଣସି ବିଦେଶୀ ଶକ୍ତିର ପ୍ରଭାବ ରହିଛି କି? ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଜର୍ଜ ସୋରୋସ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଓପନ୍‌ ସୋସାଇଟି ଫାଉଣ୍ଡେସନ୍ସ ଏବଂ ଆମେରିକୀୟ ସରକାରୀ ସଂସ୍ଥାଗୁଡ଼ିକ ଅନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ (OCCRP)କୁ ପାଣ୍ଠି ଯୋଗାଇଥିବା ତଥ୍ୟ। ୨ ଡିସେମ୍ବର ୨୦୨୪ରେ ଫ୍ରାନ୍ସର ମିଡିଆପାର୍ଟ ଏହି ପାଣ୍ଠି ସମ୍ପର୍କରେ ତଦନ୍ତମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଓସିସିଆର୍‌ପି ଭାରତର କେତେକ ଶିଳ୍ପସଂସ୍ଥା ଓ ସରକାରୀ ପ୍ରସଙ୍ଗରେ ଅନୁସନ୍ଧାନମୂଳକ ଖବର ପ୍ରକାଶ କରିଥିଲା, ଯାହାକୁ କଂଗ୍ରେସ ବିଜେପି ସରକାର ବିରୋଧରେ ବ୍ୟବହାର କରିଥିଲା। ଏହି ଘଟଣାଗୁଡ଼ିକୁ ଯୋଡ଼ି ସାଂସଦ ଡ଼ା. ସମ୍ବିତ ପାତ୍ର କଂଗ୍ରେସ, ସୋରୋସ୍‌ ଓ ଓସିସିଆର୍‌ପି ମଧ୍ୟରେ ରାଜନୈତିକ ସମ୍ପର୍କର ଅଭିଯୋଗ ଆଣିଥିଲେ। ଭାରତରେ ସରକାର କିଏ ଗଠନ କରିବ, କିଏ ବିରୋଧୀ ଭୂମିକା ନେବ, ତାହାର ନିଷ୍ପତ୍ତି ବିଦେଶୀ ପାଣ୍ଠିଦାତା ନୁହେଁ, ଭାରତୀୟ ଜନତା ନିଜ ଭୋଟ ମାଧ୍ୟମରେ କରିବେ।

ଏବେ କଂଗ୍ରେସ ନିଜର ନିର୍ବାଚନୀ ଇତିହାସ ଉପରେ ମଧ୍ୟ ଗଭୀର ଭାବେ ସମୀକ୍ଷା କରିବା ଆବଶ୍ୟକ। ଦେଶର ଅନେକ ବଡ଼ ରାଜ୍ୟରୁ କଂଗ୍ରେସ ଦୀର୍ଘ ଦଶନ୍ଧି ଧରି କ୍ଷମତାରୁ ବାହାରେ। ତାମିଲନାଡୁରେ ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ ଏମ୍‌. ଭକ୍ତବତ୍ସଲମ୍‌। ୧୯୬୭ ପରଠାରୁ ପ୍ରାୟ ୫୯ ବର୍ଷ ଧରି ସେଠାରେ କଂଗ୍ରେସର କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି। ପଶ୍ଚିମବଙ୍ଗରେ ସିଦ୍ଧାର୍ଥ ଶଙ୍କର ରାୟଙ୍କ ପରେ ୧୯୭୭ରୁ ପ୍ରାୟ ୪୯ ବର୍ଷ ଧରି କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରହିଛି। ଉତ୍ତରପ୍ରଦେଶରେ ନାରାୟଣ ଦତ୍ତ ତିୱାରୀଙ୍କ ପରେ ୧୯୮୯ରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ନାହାନ୍ତି। ବିହାରରେ ଜଗନ୍ନାଥ ମିଶ୍ରଙ୍କ ପରେ ୧୯୯୦ରୁ, ଗୁଜରାଟରେ ଛବିଲଦାସ ମେହେତାଙ୍କ ପରେ ୧୯୯୫ରୁ ଏବଂ ଓଡ଼ିଶାରେ ହେମାନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସର କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି। ଜନତାଙ୍କ ବିଶ୍ୱାସ ହରାଇ କଂଗ୍ରେସ କେନ୍ଦ୍ରରେ ମଧ୍ୟ କ୍ଷମତାରୁ ଦୂରରେ ଅଛି ଏବଂ ୨୦୧୯ରେ ରାହୁଲ ଗାନ୍ଧି ନିଜେ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏହା ନିର୍ବାଚନରେ ପ୍ରକାଶ ପାଇଥିବା ଲୋକଙ୍କ ରାଜନୈତିକ ମତ । ଏହା ସହିତ ଦୀର୍ଘଦିନ ଧରି କ୍ଷମତାରୁ ଦୂରେଇ ରହିବା ପରେ କଂଗ୍ରେସ ନିଜର ସାଂଗଠନିକ ଦୁର୍ବଳତା, ନେତୃତ୍ୱ, ନୀତି ଓ ଲୋକଙ୍କ ସହ ସମ୍ପର୍କ ଉପରେ କେତେ ଆତ୍ମସମୀକ୍ଷା କରିଛି, ସେହି ପ୍ରଶ୍ନ ମଧ୍ୟ ଉଠିବା ସ୍ୱାଭାବିକ।

ସୁସ୍ଥ ଗଣତନ୍ତ୍ରରେ ଶାସକ ଦଳର କାମ ହେଉଛି ଲୋକଙ୍କ ଆଶା ପୂରଣ କରିବା ଓ ବିରୋଧୀ ଦଳର କାମ ହେଉଛି ଭୁଲ୍‌ ଦେଖାଇ ପରିବର୍ତ୍ତନ ପାଇଁ ଚାପ ସୃଷ୍ଟି କରିବା। କିନ୍ତୁ ବିରୋଧର ଶକ୍ତି ତାହାର ଯୁକ୍ତି ଓ ପ୍ରମାଣରୁ ଆସେ। ଇଭିଏମ୍‌ରେ ତ୍ରୁଟି ଥିଲେ ନିର୍ଦ୍ଦିଷ୍ଟ ପ୍ରମାଣ ଦିଆଯାଉ। ମତଦାତା ତାଲିକାରେ ଭୁଲ୍‌ ଥିଲେ ସେହି ଭୁଲ୍‌ ସୁଧାର କରାଯାଉ। କୌଣସି ନାଗରିକଙ୍କ ଅଧିକାର କ୍ଷୁଣ୍ଣ ହୋଇଥିଲେ ତାଙ୍କୁ ନ୍ୟାୟ ମିଳୁ। ଅବୈଧ ପଞ୍ଜୀକରଣ ଥିଲେ ଆଇନ ଅନୁସାରେ ତାହା ବାତିଲ୍‌ ହେଉ। କିନ୍ତୁ ନିଜର ରାଜନୈତିକ ପରାଜୟର ସମସ୍ତ ଦାୟିତ୍ୱକୁ ଯନ୍ତ୍ର, ସଂସ୍ଥା କିମ୍ବା ପ୍ରକ୍ରିୟା ଉପରେ ଛାଡ଼ିଦେବା ଦ୍ୱାରା ଜନସମର୍ଥନ ଫେରିଆସେ ନାହିଁ ,ଏହା କଂଗ୍ରେସ ବୁଝିବା ଦରକାର। ଭାରତର ମତଦାତାଙ୍କ ବିବେକକୁ ସମ୍ମାନ ଦେବାକୁ ହେବ। ଗଣତନ୍ତ୍ରର ସୁରକ୍ଷା ପାଇଁ ସତ୍ୟ, ପ୍ରମାଣ, ଆଇନ ଓ ଜନାଦେଶ; ଏହି ଚାରିଟିର ସମ୍ମାନ ସର୍ବୋପରି ରହିବା ଆବଶ୍ୟକ।

ରିତେଶ ପୃଷେଠ
ରାଜ୍ୟ ସମ୍ପାଦକ, ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡ଼ିଶା
ଭୁବନେଶ୍ୱର


Reporterspen