Political News: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବିଜେଡିର ୪ ସାଂସଦ ଆଜି ମିଳିତ ଭାବେ ଆଟାକ୍ କରିଛନ୍ତି । ଏଥିସହିତ ଭିକେ ପାଣ୍ଡିଆନ୍ଙ୍କ ସପକ୍ଷରେ ମତ ଦେଇଛନ୍ତି । ଏହି ୪ ସାଂସଦ ହେଲେ ମାନସ ମଙ୍ଗରାଜ, ନିରଞ୍ଜନ ମିଶି, ସୁଲତା ଦେଓ ଓ ଶୁଭାଶିଷ ଖୁଣ୍ଟିଆ । ଏମାନଙ୍କ ବ୍ୟତୀତ କଟକ ମେୟର ସୁବାଶ ସିଂ ମଧ୍ୟ ଦେବାଶିଷଙ୍କୁ ସମାଲୋଚନା କରିଛନ୍ତି ।
ନିରଞ୍ଜନ ବିଶି କହିଛନ୍ତି, ଭିକେ ପାଣ୍ଡିଆନ ଅନେକ ଦିନ ହେଲା ରାଜନୀତିରୁ ବିଦାୟ ନେଇସାରିଛନ୍ତି । କିନ୍ତୁ ୱାକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ତାଙ୍କ ପ୍ରତି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିବୃତିକୁ ମୁଁ ନିନ୍ଦା କରୁଛି । ସେ କିଛି ଅଭିସନ୍ଧି ରଖି ଏ କଥା କହୁଛନ୍ତି ।
ମାନସ ମଙ୍ଗରାଜ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଭିକେ ପାଣ୍ଡିଆନ ୧୦ମାସ ହେଲା ରାଜନୀତିରୁ ସନ୍ନ୍ୟାସ ନେଇଥିବା ସତ୍ୱେ ଦେବାଶିଷ ସାମାନ୍ତରାୟ ୱାକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସୁଲତା ଦେଓ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଓକଲିତା କରିବା ସହ ଦେବାଶିଷ ସାମନ୍ତରାୟଙ୍କୁ କଟୁ ସମାଲୋଚନା କରିଛନ୍ତି ।
ଶୁଭାଶିଷ ଖୁଂଟିଆ କହିଛନ୍ତି, ପାଣ୍ଡିଆନ ରାଜନୀତିରେ ନାହାନ୍ତି ତାଙ୍କ ବିଷୟରେ କାହିଁକି କୁହାଯାଉଛି । ଦଳର ନେତା କହିଥିଲେ ବିବେକ ଅନୁସାରେ ଭୋଟ ଦେବାକୁ । ମୁନା ଖାନ୍ ମୁସଲିମ୍ କମ୍ୟୁନିଟି, ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟିକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ଅନୁସାରେ ସେ ଭୋଟ ଦେଲେ, ୟାଙ୍କ ଅନୁସାରେ ଇଏ ଭୋଟ୍ ଦେଲେ ବୋଲି ଶୁଭାଶିଷ କହିଛନ୍ତି ।
ଉଲ୍ଲେଖଥାଉ କି, ୱାକଫ ବିଲ ସମ୍ପର୍କରେ ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ନେଇ ଦେବାଶିଷ କହିଥିଲେ, ସସ୍ମିତ ପାତ୍ର ଖଳନାୟକ ନୁହନ୍ତି । ସେ ନିର୍ଦ୍ଦେଶ ଦିଅନ୍ତି ନାହିଁ, ନିର୍ଦ୍ଦେଶକୁ ପାଳନ କରନ୍ତି । ଦଳର ସଭାପତିଙ୍କ ମୁଖ୍ୟ ପରାମର୍ଶଦାତା ହିଁ ଏସବୁ ପାଇଁ ଦାୟୀ । ସେହି ମୁଖ୍ୟ ପରାମର୍ଶଦାତା ଓ ବିଜେପି ମଧ୍ୟରେ ବଡ଼ ଡିଲ୍ ହୋଇଛି । ନିକଟରେ ଭିଆଆରଏସ୍ ନେଇଥିବା ଜଣେ ଆଇଏଏସ୍ ଅଧିକାରୀ ଏହି ଡିଲର ଏକ ଅଂଶ ହୋଇପାରନ୍ତି । ଯଦିଓ ସେ ମୁଖ୍ୟ ପରାମର୍ଶଦାତାଙ୍କ ନାମ ନେଇନାହାନ୍ତି, ତେବେ ଭିକେ ପାଣ୍ଡିଆନଙ୍କୁ ଇଙ୍ଗିତ କରୁଥିବା ସ୍ପଷ୍ଟ ହୋଇଛି । ଏହାକୁ ନେଇ ବିଜେଡିରେ ତୁମ୍ବିତୋଫାନ ଆରମ୍ଭ ହୋଇଛି ।