ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଜାତୀୟସ୍ତରର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର’ର ଜାତୀୟ ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଓଡ଼ିଆ ଭାଷାରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସେ ଓଡ଼ିଶାର ସାଂସ୍କୃତିକ ଓ ନୌବାଣିଜ୍ୟର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରି କହିଥିଲେ । ଓଡ଼ିଶାର ଐତିହାସିକ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ଉତ୍ସବ ଏହି ମାଟିର ବୀର ସାଧବ ପୁଅମାନଙ୍କ ସମୁଦ୍ର ଯାତ୍ରା ଓ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଜ୍ୱଳନ୍ତ ପ୍ରତୀକ । ଆଜିର ଏହି ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ସେହି ପୁରାତନ ଗୌରବକୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୁନର୍ଜୀବିତ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି ଉପରାଷ୍ଟ୍ରପତି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶର ସାମୁଦ୍ରିକ କ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି, ତାହା ଅଦ୍ଭୁତପୂର୍ବ । ଆମର ମତ୍ସ୍ୟଜୀବୀ ସମୁଦାୟ ନିଜର କଠିନ ପରିଶ୍ରମ ବଳରେ ଦେଶର ଅର୍ଥନୀତିକୁ ସୁଦୃଢ଼ ଓ ଶକ୍ତିଶାଳୀ କରୁଛନ୍ତି । ସାମୁଦ୍ରିକ ଖାଦ୍ୟ ସମଗ୍ର ଦେଶ ଓ ବିଶ୍ୱକୁ ପ୍ରୋଟିନ୍ ଯୋଗାଇବାରେ ସବୁଠାରୁ ପ୍ରମୁଖ ଉତ୍ସ ସାଜିଛି । ଏହି ପରିପ୍ରେକ୍ଷୀରେ ଆଜିର ବୈଷୟିକ ଓ ବୈଜ୍ଞାନିକ ଅବଦାନ ମତ୍ସ୍ୟଜୀବୀଙ୍କ ପାଇଁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଓ ଲାଭଦାୟକ ସାବ୍ୟସ୍ତ ହେବ ।
ରାଧାକୃଷ୍ଣନ୍ କହିଛନ୍ତି ଯେ, ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର-ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା ୨୦୨୫’ ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ଏକ ବାଧ୍ୟତାମୂଳକ ଆବଶ୍ୟକତା । ଏହି ଏଲଓଏ କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣ-ହସ୍ତାନ୍ତରଯୋଗ୍ୟ ଅଟେ । ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ । ଏହା ‘ରିଅଲକ୍ରାଫ୍ଟ ମାଛଧରା ଜାହାଜ ପଞ୍ଜିକରଣ ପୋର୍ଟାଲ୍\’ ସହିତ ସମନ୍ୱିତ ହୋଇଥିବାରୁ ବ୍ୟବସ୍ଥିତ, ତଥ୍ୟ- ପରିଚାଳିତ ଏବଂ ପ୍ରତ୍ୟକ୍ଷ ନିରୀକ୍ଷଣଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇଥାଏ । ଏହି ପ୍ରକ୍ରିୟା ଅନଲାଇନ୍ ଏବଂ ବାସ୍ତବ ସମୟରେ ଟ୍ରାକିଂ ହୋଇପାରୁଥିବାରୁ ଏହା ମତ୍ସ୍ୟଜୀବୀ ଓ ଜାହାଜ ପରିଚାଳକମାନଙ୍କ ପାଇଁ ନିୟମର ଅନୁପାଳନକୁ ସରଳ କରିବ । ଏହି ଜାହାଜଗୁଡ଼ିକ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ଏକ ନୂଆ ଉଚ୍ଚତାକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଏହି ଜାତୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏଲଓଏ ପ୍ରଦାନ କରିଥିଲେ । ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ । ଏହି ବଣ୍ଟନ ଭାରତର ସମଗ୍ର ସାମୁଦ୍ରିକ ସୀମାକୁ ସୁଦୃଢ଼ କରିବା ସହ ଅନ୍ତର୍ଜାତୀୟ ଜଳସୀମାରେ ଦେଶର ଜାହାଜଗୁଡ଼ିକର ସାର୍ବଭୌମତ୍ୱ ଏବଂ ନିୟନ୍ତ୍ରିତ ମାଛଧରାକୁ ସୁନିଶ୍ଚିତ କରିବ ।
ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି । ଏହି ଖକ୍ଟଇ କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ । ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ମୁକ୍ତ ସାଗରରେ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକ ଦ୍ୱାରା ମତ୍ସ୍ୟ ସମ୍ପଦର ଦୀର୍ଘସ୍ଥାୟୀ ଉପଯୋଗ ପାଇଁ ଏହି ‘ଲେଟର ଅଫ୍ ଅଥରାଇଜେସନ୍’ ପ୍ରଦାନର ଜାତୀୟ ଶୁଭାରମ୍ଭ ଓଡ଼ିଶା ମାଟିରେ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ଐତିହାସିକ ନୂତନ ଅଧ୍ୟାୟରେ ପ୍ରବେଶ କରୁଛି ।
ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବଡ ସୁଯୋଗ ଆଣିଦେବ । ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ । ଏହି ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (ଘଉଋଖ) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି । ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ ।

