ଶତକ ହାସଲ ପରେ ବି ଯଶ୍ୱସୀ ଆଉଟ୍‌, ଫେରିଲେ କୋହଲି-ବୁମରା

Reporterspen

ନୂଆଦିଲ୍ଲୀ,୨୧/୦୬: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେଇଛି । ଜୁଲାଇରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦିନିକିଆ ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ କମବ୍ୟାକ ହୋଇଛି । ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ଶତକ ହାସଲ କରିଥିବା ଯଶସ୍ୱୀଙ୍କୁ ବାଦ୍ ଦିଆଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ ଖେଳିବ ଭାରତ । ଶ୍ରେୟାସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ୱିକେଟ୍ କିପର ବ୍ୟାଟର ଭାବେ ଇଶାନ କିଷନ ଏବଂ କେଏଲ ରାହୁଲ ଦଳରେ ଅଛନ୍ତି ।

ଇଂଲଣ୍ଡ ଟୁର୍ ପାଇଁ ୧୫ ଜଣିଆ ଭାରତୀୟ ଦିନିକିଆ ଟିମରେ ଜୟସ୍ୱାଲ୍‌ଙ୍କୁ ସ୍ଥାନ ମିଳିନାହିଁ । ଦଳକୁ ଅଭିଜ୍ଞ ଷ୍ଟାର ବିରାଟ କୋହଲି ଫେରିଛନ୍ତି । ଆଇପିଏଲରେ ଆହତ ହୋଇଥିବାରୁ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଥିଲେ । ଷ୍ଟାର ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ଦଳକୁ ଫେରିଛନ୍ତି । ଗିଲ୍‌ଙ୍କ ଅଧିନାୟକତ୍ୱରେ ଟିମ୍‌ରେ ଆୟର ଉପଅଧିନାୟକ ଭାର ତୁଲାଇବେ । ନବାଗତ ଗୁରନୁର ବ୍ରାର୍‌ଙ୍କୁ ମଧ୍ୟ ଇଂଲଣ୍ଡ୍ ଟୁର୍ ପାଇଁ ସୁଯୋଗ ମିଳିଛି । ଜୁଲାଇ ୧୪, ୧୬, ୧୯ ତାରିଖରେ ଖେଳାଯିବ ୩ ମ୍ୟାଚ୍ । ସଦ୍ୟ ସମାପ୍ତ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ କ୍ଲିନ୍ ସୁଇପ କରିଥିଲା ଟିମ୍ ଇଣ୍ଡିଆ । ୩-୦ରେ ସିରିଜ କବଜା କରିଥିଲା ଭାରତ ।

ଶେଷ ଦିନିକିଆକୁ ୯ ୱିକେଟରେ ଜିତିଥିଲା ଭାରତ । ଯଶ୍ୱସୀ ଜୈସ୍ୱାଲ ଅପରାଜିତ ଶତକ ହାସଲ କରିଥିଲେ । ସେଞ୍ଜୁରୀ ମାରିବା ସତ୍ୱେ ଜୈସ୍ୱାଲଙ୍କୁ ସ୍ଥାନ ନମିଳିବା ତାଙ୍କ ଫ୍ୟାନ୍ସଙ୍କୁ ଆଘାତ ଦେଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୨୮.୪ ଓଭରରେ ୧ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ସିରିଜରେ ମୋଟ ୨୩୮ରନ୍ ସଂଗ୍ରହ କରିଥିବା ଶୁଭମନ ଗିଲ୍ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ । ହାର୍‌ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ଚାମ୍ପିଅନ୍ସ ଟ୍ରଫି ପରଠାରୁ କୌଣସି ଦିନିକିଆ ଖେଳି ନାହାଁନ୍ତି ।

ଭାରତୀୟ ଦଳ- ଶୁଭମାନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ (ୱିକେଟ୍‌କିପର), ଈଶାନ କିଶନ (ୱିକେଟ୍‌କିପର, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ଗୁରନୂର ବ୍ରାର ।


Reporterspen