ବିଏମସି ଅଞ୍ଚଳରେ ୫୦୦ ଏକର ସରକାରୀ ଜମି ଜବରଦଖଲ

Reporterspen

ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ସରକାରୀ ଜମି
୧୬ ମାସରେ ରାଜ୍ୟରେ ଖୋଲିଛି ୩୩ ନୂଆ ଆଇଟି କମ୍ପାନୀ, ୨୫୨୮ ଜଣଙ୍କୁ ନିଯୁକ୍ତି
ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ, ୬ ମାସ ଭିତରେ ୩୯ କଏଦୀ ଫେରାର୍‌

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ବିଏମସି ଅଞ୍ଚଳରେ ଜବରଦଖଲ ୫୦୦ ଏକର ସରକାରୀ ଜମି ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଭଳି ଉତ୍ତର ରଖିଛନ୍ତି ।

ଅଧିକାଂଶ ଜବରଦଖଲ ବାପୁଜିନଗର, ଅଶୋକ ନଗର, ଗଙ୍ଗନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଅଞ୍ଚଳରେ ହୋଇଛି । ବିଶେଷ କରି ସରକାରୀ ଜମି ପ୍ରଭାବଶାଳୀ ବ୍ୟକ୍ତି ହାତେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସରକାର ଏକ କମିଟି ଗଠନ କରି ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ କରିବେ । ଚଳିତ ବର୍ଷ ୭୦ ଏକର ସରକାରୀ ଜମିରୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ ।

ସେହିପରି ଓଡିଶା ଆଇଟି ହବ୍ ହେବାକୁ ଯାଉଛି । ୧୬ ମାସରେ ୩୩ଟି ନୂଆ ଆଇଟି କମ୍ପାନୀ ଖୋଲିଛି । ୨୫୨୮ ଜଣଙ୍କୁ ନିଯୁକ୍ତି ମିଳିଛି । ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡିଶାରେ କାର୍ଯ୍ୟରତ ଅଛନ୍ତି । ୩୫ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି । ବିଶ୍ୱରେ ଓଡିଶା ସପ୍ଟୱେୟାରର ଚାହିଦା ଅଧିକ ରହିଛି । ଦେଶର ପ୍ରଥମ ୧୦ ରାଜ୍ୟରେ ଓଡିଶା ରହିଛି । ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସପ୍ଟୱେୟାର ରପ୍ତାନୀ କରାଯାଇଛି । ବିଧାନସଭାରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି । ରାଜ୍ୟରୁ ୪୯ ବାଂଲାଦେଶୀ ତଡ଼ିପାର୍ ହେଲେଣି । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟରୁ ୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ ପାସପୋର୍ଟ କରି ଧରାପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମକଦ୍ଦମାରଜ୍ଜୁ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରଶ୍ନରେ କହିଛନ୍ତି ଯେ, ଗତ ୬ ମାସ ଭିତରେ ୩୯ କଏଦୀ ଫେରାର୍ ହୋଇଛନ୍ତି । ୨୦୨୪ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ୩୯ ଜଣ କଏଦୀ ଫେରାର୍ ହୋଇଛନ୍ତି । ଗତ ଏକ ବର୍ଷରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲରେ ମୃତ୍ୟୁ ଘଟିଛି । ୮ ଜଣ ଆତ୍ମହତ୍ୟା କରିଛନ୍ତି ।


Reporterspen