ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ଆଇନ ବୃତିକୁ ଆପଣେଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମୂଳରୁ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ମୂରହରୀ ଶ୍ରୀ ରମଣ କହିଛନ୍ତି ।

ଜଣେ ଆଇନଜୀବିଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ରହିବା ସହ ନିର୍ଭୀକ ତଥା ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ହେବା ଆବଶ୍ୟକ କାରଣ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି ଅତୁଟ ବିଶ୍ୱାସ ରହିଛି ବୋଲି ସେ କହିଥିଲେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ରମଣ ଏହା କହିଥିଲେ ।

ନ୍ୟାୟମୂର୍ତୀ ରମଣ ଆଇନ ଓ କୃଷି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଆଇନଜୀବିଙ୍କୁ ସତ୍ୟନିଷ୍ଠା ହେବା ସହ ପ୍ରାସଙ୍ଗିକ ତଥ୍ୟ ପ୍ରତି ଅନୁରକ୍ତି ରଖିବା ଆବଶ୍ୟକ । ଆଇନ୍ ବୃତିରେ ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଆଇନ ବ୍ୟବସ୍ଥାକୁ ଗଭୀର ଭାବେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏହା ଏକ ନିରନ୍ତର ପ୍ରଚେଷ୍ଟା ହେବା ଦରକାର । କାରଣ ଏହାର କୌଣସି ବିକଳ୍ପ ନାହିଁ । ଜଣେ ଆଇନ ଶିକ୍ଷାର ବିଦ୍ୟାର୍ଥୀ ସାରା ଜୀବନ ଆଇନକୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ସେ କହିଥିଲେ ଯେ ଆଦଲତ ସମ୍ମୁଖରେ ଆଇନଜୀବି ଭାବେ କୌଣସି ମକଦମା ପରିଚାଳନା କରିବା ବେଳେ ସେମାନଙ୍କର ଯୁକ୍ତି ପ୍ରାସଙ୍ଗିକ ଓ ସୁସ୍ପଷ୍ଟ ହେବା ଆବଶ୍ୟକ । ଏହି ଯୁକ୍ତିରେ ଆଇନର ସମସ୍ତ ନିୟମ ସମୂହ ରହିବା ଆବଶ୍ୟକ ।

ବର୍ତମାନ ଆଇନ ବୃତିରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ)କୁ ବ୍ୟବହାର କରାଯାଉଥିବା ଦର୍ଶାଇ ନ୍ୟାୟମୂର୍ତୀ ରମଣ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହାକୁ ଏକ ସାହାଯ୍ୟକାରୀ ଭାବେ ବ୍ୟବହାର କରିପାରିବେ । ମାତ୍ର ଏହା
ଉପରେ ନିର୍ଭର କରିବା ବିପଦ୍‌ଜନକ ହୋଇପାରେ । ଆଇନଜୀବିମାନେ ନିଜର ବୁଦ୍ଧିମତା ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ବରିଷ୍ଠ ପ୍ରଫେସର ମଧୁସୂଦନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Reporterspen