୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ଜଣ ଲୋକ ପ୍ରଭାବିତ, ୩ ଜଣଙ୍କ ମୃତ୍ୟୁ

Reporterspen

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ
ଏକ ଲକ୍ଷ ୭୬ ହଜାର ୭୩ ଜଣ ସ୍ଥାନାନ୍ତରିତ ହୋଇଛନ୍ତି
୩ ଦିନରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଚଳିତ ବନ୍ୟାରେ ଅଧିକ ପ୍ରଭାବିତ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ରାଜ୍ୟର ୫ଟି ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ୭୬ ହଜାର ୭୩ ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ଏହାସହ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ।

ବନ୍ୟା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ବୈଠକ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି- ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର । ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି । ୨ଟି ଗେଟ ଖୋଲା ଅଛି । ମଣ୍ଡଳୀରେ ସାଢ଼େ ୬ ଲକ୍ଷ କ୍ୟୁସେକ ଜଳ ପହଁଚୁଥିଲା । ରାତିସୁଦ୍ଧା ନାରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେରେ ଜଳ ପହଞ୍ଚିଲାଣି ।

କେଉଁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଛି । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା । ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ଜଗି ରହିଛନ୍ତି ।

ବନ୍ୟାଜଳ ଛଡ଼ାଯିବ ପରେ ବୈତରଣୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯୋଡ଼ା, ଚମ୍ପୁଆ, ପାଟଣା, ଝୁମ୍ପୁରା ବ୍ଲକର ବିଭିନ୍ନ ନଈ ପାଖିଆ ଗାଁ ଏବଂ ତଳି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯିବା ସହ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଆନନ୍ଦପୁର ଏବଂ ଆଖୁଆପଦାରେ ଜଳ ସ୍ତର ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି ।

ଯାଜପୁର ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ । ବରି ବ୍ଲକ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ସେହିପରି ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି ।

ସେପଟେ ବିପଦ ସଙ୍କ?ତ ଉପରେ ରହିଛି ବୈତରଣୀ । ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏକାଧିକ ଗାଁରେ ପଶିଛି ବନ୍ୟା ପାଣି । ବନ୍ୟାରେ ଜିଲ୍ଲାର ୩ଟି ବ୍ଲକ ର ୨୮ ପଞ୍ଚାୟତର ୮୪ ଟି ଗାଁ ପ୍ରଭାବିତ ହୋଇଛି । ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଅଙ୍ଗନ ବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ।

ମହାନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଙ୍କୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତରର ପ୍ରଭାବରେ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି । ସେବାୟତମାନେ ପରମ୍ପରା ଓ ନୀତିନିୟମ ଅନୁଯାୟୀ ମାଆଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ନିକଟସ୍ଥ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।

ମନ୍ଦିର ପରିସରରେ ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗର କର୍ତ୍ତୃପକ୍ଷ ନଜର ରଖିଛନ୍ତି । ଭକ୍ତମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭିଡ଼ ନ କରିବାକୁ ନିବେଦନ କରାଯାଇଛି ।

ଦୁଇଦିନ ପୂର୍ବରୁ ମହାନଦୀର ଶାଖାନଦୀ ରଣ ନଦୀରେ ଜଳସ୍ତର ବୃଦ୍ଧି ହେବାରୁ ତାଳବସ୍ତ-ବିଲିପଡା ରାସ୍ତାରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍ ହୋଇଥିଲା । ଗତକାଲି ରାତିରେ ବାଙ୍କୀ ବ୍ଲକ ର ହୁଳୁହୁଳା ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହୋଇଥିଲା । ଏହାଦ୍ୱାରା ବାଙ୍କୀ ବିନ୍ଧାଣୀମା ମୁଖ୍ୟ ରାସ୍ତା ବୁଡ଼ି ଯାତାୟାତ ମଧ୍ୟ ବନ୍ଦ ହୋଇଥିଲା ।

ହୁଳୁହୁଳାରେ ବନ୍ୟା ପାଣି ଗୁରୁବାର ସକାଳୁ ୫ ଫୁଟରୁ ଅଧିକ ପ୍ରବାହିତ ହେଉଛି । ଯେଉଥିପାଇଁ ଉତ୍ତର ବାଙ୍କୀର ତିନି ପଞ୍ଚାୟତ ବାଙ୍କୀରୁ ସମ୍ପୂର୍ଣ୍ଣ ବିଚ୍‌ଛିନ୍ନ ହୋଇଛି । ସେହିପରି ପଥପୁର ପଞ୍ଚାୟତର ଦୁଇ ଗାଁ କଇଁମୁଣ୍ଡି ଓ ଚାରିଘରିଆ ଏବେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ଲୋକ ମାନେ ଗୃହପାଳିତ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ।


Reporterspen