୨୦୨୭ ବିଶ୍ୱକପ ପାଇଁ ରବି ଶାସ୍ତ୍ରୀଙ୍କ ଟିମ୍, ଆକାଶ ଚୋପ୍ରା ଦେଲେ ୧୦ରୁ ୮ ମାର୍କ

Reporterspen

୨୦୨୭ ମସିହାର ଆଇସିସି ଦିନିକିଆ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟକୁ ଏଖନ ସମୟ ଥିଲେ ମଧ୍ୟ ବିଭିନ୍ନ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ୨୦୨୭ ବିଶ୍ୱକପ ପାଇଁ ନିଜର ସମ୍ଭାବ୍ୟ ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିଛନ୍ତି, ଯାହାକୁ ନେଇ କ୍ରିକେଟ ମହଳରେ ବେଶ ଚର୍ଚ୍ଚା ହେଉଛି।

ଶାସ୍ତ୍ରୀ ଏହି ଦଳର ଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ବାଛିଥିବା ବେଳେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ମଧ୍ୟ ଭରସା ରଖିଛନ୍ତି। ସେହିପରି ଋଷଭ ପନ୍ତ, ଯଶସ୍ୱୀ ଜୟସ୍ୱାଲ, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଦଳରେ ସ୍ଥାନ ଦେଇଛନ୍ତି।

ପୂର୍ବତନ କ୍ରିକେଟର ତଥା ଧାରାଭାଷ୍ୟକାର ଆକାଶ ଚୋପ୍ରା ଏହି ଦଳର ବିଶ୍ଳେଷଣ କରି କହିଛନ୍ତି ଯେ, ଏହା ଏକ “ହଟ୍କେ” ଅର୍ଥାତ୍ ସାଧାରଣ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଟିମ୍।

ଯଶସ୍ୱୀ ଜୟସ୍ୱାଲଙ୍କ ଚୟନକୁ ନେଇ ଆକାଶ ଚୋପ୍ରା ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଜୟସ୍ୱାଲ ଦିନିକିଆରେ ଦୁଇଟି ଶତକ ହାସଲ କରିଥିଲେ ମଧ୍ୟ ବିଶ୍ୱକପ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ନୁହେଁ। ସେହିପରି ଋଷଭ ପନ୍ତଙ୍କୁ ନିକଟ ଅତୀତରେ ଦିନିକିଆରେ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ବେଳେ ଇଶାନ କିଶନ ବର୍ତ୍ତମାନ ଭଲ ଫର୍ମରେ ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ସ୍ପିନ ବିଭାଗରେ ରବି ଶାସ୍ତ୍ରୀ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଇ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ସ୍ଥାନ ଦେଇଛନ୍ତି। ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ମଧ୍ୟ ସ୍ପିନ ବିକଳ୍ପ ଭାବେ ରହିଛନ୍ତି।

ତେବେ ଦ୍ରୁତ ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ କୁଲଦୀପଙ୍କ ସହ ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ସାମିଲ କରିବାକୁ ଆକାଶ ଚୋପ୍ରା ସବୁଠାରୁ ବଡ଼ ଚମକ ବୋଲି କହିଛନ୍ତି। ତାଙ୍କ ମତରେ ବୁମ୍ରା, ସିରାଜ ଓ କୁଲଦୀପଙ୍କ ସ୍ଥାନ ପ୍ରାୟ ନିଶ୍ଚିତ, କିନ୍ତୁ ଶାମି ଓ ଭୁବନେଶ୍ୱରଙ୍କୁ ଏକାସାଙ୍ଗରେ ରଖିବା ନିଶ୍ଚୟ ଏକ ସାହସିକ ନିଷ୍ପତ୍ତି।

ଆକାଶ ଚୋପ୍ରା ରବି ଶାସ୍ତ୍ରୀଙ୍କ ଏହି ଦଳକୁ ୧୦ରୁ ୮ ମାର୍କ ଦେଇଛନ୍ତି। ତେବେ ତାଙ୍କ ମତରେ ପ୍ରକୃତ ଚୟନକର୍ତ୍ତାମାନେ ଏପରି ଦଳ ବାଛିବେ କି ନାହିଁ ସେନେଇ ସନ୍ଦେହ ରହିଛି। ଏହାଛଡ଼ା ଦଳରେ ଜଣେ ବାମହାତୀ ଦ୍ରୁତ ବୋଲରଙ୍କ ଅଭାବ ରହିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ବ୍ୟଙ୍ଗାତ୍ମକ ଟିପ୍ପଣୀ ଥିଲା, ଯଦି ରବି ଶାସ୍ତ୍ରୀ ନିଜେ ଚୟନକର୍ତ୍ତା ହୁଅନ୍ତେ, ତେବେ ଏଭଳି ଦଳ ଦେଖିବାକୁ ମିଳିପାରିଥାନ୍ତା।


Reporterspen