ଆଜି ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ ; ୨୨ଟି ଜିଲ୍ଲାକୁ ୧୧୦କୋଟି ଟଙ୍କା ମଞ୍ଜୁର

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ରାଜ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିଛି । ରାଜ୍ୟ ସରକାର ବନ୍ୟା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ କରିଛନ୍ତି । ୨୨ଟି ଜିଲ୍ଲାକୁ ବନ୍ୟା ସହାୟତା ପାଇଁ ୧୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜସ୍ୱ ବିଭାଗ ଦ୍ୱାରା ଡକାଯାଇଥିବା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ବିଭାଗରୁ ଏକ ଚୂଡ଼ାନ୍ତ ସମନ୍ୱିତ କ୍ଷୟକ୍ଷତି ରିପୋର୍ଟ ଉପଲବ୍ଧ ହେବ ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, \”ଚଳିତ ବନ୍ୟାରେ ୨୨ଟି ଜିଲ୍ଲା ପ୍ରଭାବିତ ହୋଇଛି । କ୍ଷୟକ୍ଷତି ଚୂଡାନ୍ତ ଓ ନିଖୁଣ ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଜିଲ୍ଲାରେ ଜଳ ନିଷ୍କାସନ ହୋଇପାରିନାହିଁ । ଗତକାଲି ମୁଁ ପୁରୀ ଜିଲ୍ଲା ଗସ୍ତ କରିଥିଲି । ଦୟା ଓ ଦେବୀ ନଦୀର ଜଳ ସ୍ତର ପିପିଲି ଓ ସତ୍ୟବାଦୀରେ କମି ନାହିଁ । ମନ୍ତ୍ରୀମାନେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ । ଜିଲ୍ଲାରେ ଅନୁଭବ ଥିବା ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପଠା ଯାଇଥିଲା । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାରେ ଅବସ୍ଥାପିତ ହୋଇଥିଲେ ।

ଗୋଟେ ପରେ ଗୋଟେ ଜିଲ୍ଲାରୁ ରିପୋର୍ଟ ଆସିବାରେ ଲାଗିଛି । ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଯାଇଥିବା ମନ୍ତ୍ରୀ ମାନେ ରିପୋର୍ଟ ପ୍ରଦାନ କରିଛନ୍ତି । ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ବାଲେଶ୍ୱରକୁ ୨୨.୦୩ କୋଟି, ଯାଜପୁର ୨୦.୨୦ କୋଟି ଓ ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି ବନ୍ୟା ସହାୟତା ପ୍ରଦାନ କରାଯାଇଛି ।

ସେହିପରି ଜଗତସିଂହପୁର ୮.୧୮କୋଟି, କେନ୍ଦୁଝର ୬.୧୧ କୋଟି, ସମ୍ବଲପୁର ୫.୫୬ କୋଟି, କେନ୍ଦ୍ରାପଡ଼ା ୫.୦୪ କୋଟି, ମୟୂରଭଞ୍ଜ ୫.୦୨ କୋଟି, ଖୋର୍ଦ୍ଧା ୨.୦୬ କୋଟି, ସୁବର୍ଣ୍ଣପୁର ୨.୩୧ କୋଟି, ବୌଦ୍ଧ ୧.୨୯ କୋଟି, ବଲାଙ୍ଗିର ୧.୧୭ କୋଟି, ଢେଙ୍କାନାଳ ୧.୧୦ କୋଟି, ବରଗଡ଼ ୧.୦୫ କୋଟି, କଳାହାଣ୍ଡି ୧.୦୫ କୋଟି, ନୂଆପଡ଼ା ୧.୦୫ କୋଟି, କନ୍ଧମାଳ ୧.୦୧ କୋଟି, କଟକ ୧.୦୧ କୋଟି, କୋରାପୁଟ୍ ୧.୦୧କୋଟି, ମାଲକାନଗିରି ୧.୦୧ କୋଟି, ରାୟଗଡ଼ା ୧.୦୧ କୋଟି, ସୁନ୍ଦରଗଡ଼ ୧.୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଚୂଡ଼ାନ୍ତ ରିପୋର୍ଟ ପାଇଁ ପ୍ରକ୍ରିୟା ଚାଲିଛି । ବିଭିନ୍ନ ଜିଲ୍ଲାରେ ପ୍ରବେଶ କରିଥିବା ବନ୍ୟା ଜଳ ନିଷ୍କାସନ ହୋଇନାହିଁ । ବିଭିନ୍ନ ନଦୀର ଜଳ ପତନ କମିନାହିଁ । ଯେଉଁଠି ସ୍ୱାଭାବିକ ହେଉଛି, ସେଠି ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀ ପହଁଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଘର, ଶସ୍ୟ, ଜୀବନ ଜୀବିକା ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଡିବିଟି ମାଧ୍ୟମରେ ଲୋକଙ୍କ ପାଖରେ କ୍ଷତିପୂରଣ ରାଶି ପହଁଚୁଛି ।

ଚଳିତ ବନ୍ୟା ଯୋଗୁଁ ଏକକାଳୀନ ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା, ସାଳନ୍ଦୀ, ବୈତରଣୀ, ଦେବୀ, ଦୟା, ଇବ, ତେଲ୍ ନଦୀ ପ୍ରଭାବିତ ହୋଇଛି । ଏଲନିନୋ ଯୋଗୁଁ ସ୍ୱଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଦେଶର ସମସ୍ତ ରାଜ୍ୟ ଜଳ ଭଣ୍ଡାରରେ ଜଳ ଗଚ୍ଛିିତ ରଖିବା ପାଇଁ ପ୍ରୟାସ କରିଥିଲେ । ଗତବର୍ଷ ଠାରୁ ଚଳିତ ବର୍ଷ ଠାରୁ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେଣୁ ଜଳ ଭଣ୍ଡାର ଜଳ ନଦୀରେ ଛାଡିବାକୁ ପଡ଼ିଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ଅନ୍ତଃରାଜ୍ୟ ନଦୀରେ ଜଳସ୍ତର ବଢିଲା ।


Reporterspen