ନିଜ ବିଫଳତାର ନିକିତିରେ ଓଡ଼ିଶାର ଶିଳ୍ପାୟନକୁ ନ ତଉଲୁ ବିଜେଡି: ସତ୍ୟବ୍ରତ ପଣ୍ଡା

Reporterspen

ଜନସଂଖ୍ୟା ଅନୁପାତରେ ଅଧିକ ପୁଞ୍ଜି ନିବେଶ ଆଣିବାରେ ବିଜେପି ସରକାର ସଫଳ
୨୦୨୯ ସୁଦ୍ଧା ଓଡ଼ିଶାକୁ ୨୦୦ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆଣିବା ଲକ୍ଷ୍ୟ ରଖିଛି
ବିଜେଡି ସମୟରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଘୋଷିତ ପୁଞ୍ଜି ନିବେଶର ନୈରାଶ୍ୟଜନକ ବିନିଯୋଗ
ବିବିଧତା ଆଣିବା, ଶିଳ୍ପାୟନର ଗତି ବଢ଼େଇବାରେ ତତ୍କାଳୀନ ବିଜେଡି ସରକାର ସ୍ଥାଣୁ ଥିଲେ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଗତ କିଛିଦିନ ହେଲା ଲୋକପ୍ରିୟ ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତକୁ ନେଇ ବିଜୁ ଜନତା ଦଳ ଅଯଥାରେ ଅନେକ ତୁମ୍ବିତୋଫାନ କରୁଛି । ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରରେ ଆଜି ବୈପ୍ଲବିକ ପରିବର୍ତନ ହୋଇଛି । ବ୍ୟାଙ୍କ ଅଫ ବରୋଦାର ଇକୋନୋମିକ ରିସର୍ଚ୍ଚ ଡିପାର୍ଟମେଂଟର ତଥ୍ୟ ଅନୁସାରେ ଏପ୍ରିଲ ୧ ରୁ ୫ ଅଗଷ୍ଟ ୨୦୨୬ ଭାରତକୁ ୨୬.୭୫ ଲକ୍ଷ କୋଟି ଟଙ୍କା ଆସିବ ବୋଲି ଘୋଷଣା ହୋଇଥିଲା । ସେଥିରୁ ଓଡ଼ିଶାର ଭାଗ ଥିଲା ୨.୪ ଲକ୍ଷ କୋଟି ଟଙ୍କା । ଭାରତର ଜନସଂଖ୍ୟାର ୩.୩ ଶତକଡ଼ା ହେଉଛି ଓଡ଼ିଶାର ଜନସଂଖ୍ୟା । ତେଣୁ ଜନସଂଖ୍ୟା ଅନୁପାତ ଦୃଷ୍ଟିରୁ ଆମେ ୨୬.୭୫ ଲକ୍ଷ କୋଟି ଟଙ୍କାର ୩.୩ ଶତକଡ଼ା ପାଇବାକୁ ହକ୍‌ଦାର । କିନ୍ତୁ ପାଇଛୁ ୨.୪ ଲକ୍ଷ କୋଟି ଟଙ୍କା, ଯାହାକି ଭାରତକୁ ଆସିଥିବା ପୁଞ୍ଜିନିବେଶର ୯ ଶତକଡ଼ା । ଅର୍ଥାତ ଆମର ଜନସଂଖ୍ୟା ଅନୁପାତର ତାହା ହେଉଛି ୨.୬ ଗୁଣ ଅଧିକ । ସେହିପରି ୨୦୨୫ ଏପ୍ରିଲରୁ ୨୦୨୬ ଡିସେମ୍ବର ୯ ପର୍ଯ୍ୟନ୍ତ ଭାରତକୁ ୨୬.୬୨ ଲକ୍ଷ କୋଟି ଟଙ୍କା ନିବେଶର ଘୋଷଣା ହୋଇଛି । ସେଥିରୁ ଓଡ଼ିଶାର ଭାଗ ୩.୪୯ ଲକ୍ଷ କୋଟି ଟଙ୍କା । ତାହା ଭାରତକୁ ଆସିଥିବା ନିବେଶର ୧୩.୧ ଶତକଡ଼ା ଏବଂ ଆନ୍ଧ୍ର ପରେ ଦ୍ୱିତୀୟ ସର୍ବବୃହତ ଘୋଷଣା । ଏ ଦୃଷ୍ଟିକୋଣରୁ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଗୁଜରାଟଠାରୁ ମଧ୍ୟ ଆଗରେ ଅଛୁ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଯେତିକି ଘରୋଇ ନିବେଶ ଆସିଛି, ତାର ପରିମାଣ ହେଉଛି ୨୨.୫୮ ଲକ୍ଷ କୋଟି ଟଙ୍କା । ସେଥିରୁ ଓଡ଼ିଶାର ଭାଗ ହେଉଛି ୩.୪୧ ଲକ୍ଷ କୋଟି ଟଙ୍କା, ଯାହାକି ୧୫.୧ ଶତକଡ଼ା । ଏ ଦୃଷ୍ଟିକୋଣରୁ ଆମ ଆଗରେ କେବଳ ଆନ୍ଧ୍ରପ୍ରଦେଶ ରହିଛି । ଜନସଂଖ୍ୟା ଅନୁପାତରେ ଅଧିକ ପୁଞ୍ଜି ନିବେଶ ଆଣିବାରେ ବିଜେପି ସରକାର ସଫଳ ହୋଇଛି ।

ଡିପାର୍ଟମେଂଟ୍ ଅଫ୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ୍ ଇନ୍‌ଟରନାଲ ଟ୍ର୍ରେଡ୍‌ର ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ତଥ୍ୟ ଅନୁସାରେ ଅକ୍ଟୋବର ୨୦୧୯ ରୁ ଡିସେମ୍ବର ୨୦୨୪, ଯେତେବେଳେ ବିଜୁ ଜନତା ଦଳର ସରକାର ଥିଲା, ସେ ସମୟରେ ଓଡ଼ିଶାକୁ ଆସିଥିଲା ୧୭୨.୭୯ ନିୟୁତ ଡଲାର । ସେଥିରେ ଓଡ଼ିଶାର ସ୍ଥିତି ୨୧ ତମ । ଅର୍ଥାତ୍ ନଗଣ୍ୟ ୦.୦୬% । ସେହି ସମୟରେ ମହାରାଷ୍ଟ୍ରକୁ ୩୧.୩୬, କର୍ଣ୍ଣାଟକକୁ ୨୦.୩୧, ଗୁଜରାଟକୁ ୧୬.୩୭ ପ୍ରତିଶତ ଆସିଥିବା ବେଳେ ଓଡ଼ିଶାର ସ୍ଥିତ ଅତି ନଗଣ୍ୟ ଥିଲା । ଏଥିରୁ ବିଜେଡି ସରକାର ସମୟରେ ଓଡ଼ିଶାର ଦୁର୍ବଳ ସ୍ଥିତି ସ୍ପଷ୍ଟ ବାରି ହୋଇପଡୁଛି । ତେଣୁ ନିଜ ବିଫଳତାର ନିକିତିରେ ଓଡ଼ିଶାର ଶିଳ୍ପାୟନକୁ ବିଜେଡି ନ ତଉଲୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବତ୍ର ପଣ୍ଡା କହିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଅକ୍ଟୋବର ୨୦୧୯ ରୁ ୨୦୨୩ ମଧ୍ୟରେ ଓଡ଼ିଶାକୁ ମାସିକ ହାରାହାରି ୩.୪୫ ନିୟୁତ ଡଲାରର ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ଆସିଥିଲା । ବିଜେଡି ସରକାରର ପତନ ବେଳକୁ ୨୦୨୪ ଏପ୍ରିଲରୁ ଜୁନ୍ ମଧ୍ୟରେ ଓଡ଼ିଶାକୁ ମାସିକ ହାରାହାରି ୧.୧୪ ନିୟୁତ ଡଲାର ଆସୁଥିଲା । କିନ୍ତୁ ବିଜେପି ସରକାର ଆସି ସାରିଲା ପରେ ୨୦୨୯ ସୁଦ୍ଧା ଓଡ଼ିଶାକୁ ୨୦୦ କୋଟି ଡଲାରର ପତ୍ୟକ୍ଷ ବିଦେଶୀ ପୁଞ୍ଜି ଆଣିବା ଲକ୍ଷ୍ୟ ରଖିଛି । ୨୦୨୫ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାକୁ ମାତ୍ର ୬ ମାସ ମଧ୍ୟରେ ୪୭ ନିୟୁତ ଡଲାର ଆସିଥିଲା । ପ୍ରତିମାସ ହିସାବରେ ଏହା ହେଉଛି ୭.୮୩ ନିୟୁତ ।

କେବଳ ସେତିକି ନୁହେଁ ଆସିଥିବା ପୁଞ୍ଜିକୁ ଠିକ୍ ଭାବେ ବିିନିଯୋଗ କରିପାରି ନଥିଲା ବିଜେଡି । ବିଜେଡି ସରକାରଙ୍କ ତତ୍କାଳୀନ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ୨୦୨୨ ଜୁଲାଇ ୨୯ରେ ବିଧାନସଭାରେ ଲିଖିତ ଉତର ଦେଇଥିଲେ ଯେ, ୨୦୧୬ ଓ ୨୦୧୮ର ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ରେ ୬.୨୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଘୋଷଣା କରାଯାଇଥିଲା । ସେଥିରୁ କେବଳ ୫,୬୭୪.୫୬ କୋଟି ଟଙ୍କା ବିନିଯୋଗ କରିବାକୁ ତତ୍କାଳୀନ ସରକାର ସକ୍ଷମ ହୋଇଥିଲା । ସେତେବେବେଳେ ଘୋଷଣା ହୋଇଥିବା ପୁଞ୍ଜି ନିବେଶର ମାତ୍ର ୦.୯୧% ।

ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଇ ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଜ୍ଞାନଭିତିକ ନିବେଶ ଆଣିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେଡି ସରକାର ସମୟରେ ଓଡ଼ିଶାରେ କେବଳ ଖଣି ଓ ଧାତବ ଶିଳ୍ପ ବ୍ୟତୀତ ଶିଳ୍ପର ଯେଉଁ ବିବିଧକରଣ ହେବା କଥା, ତାହା ହେଇପାରୁନଥିଲା । ବିଜେଡି ମାଟି ତଳର ସମ୍ପତିକୁ ନେଇ ଶିଳ୍ପାୟନର ସ୍ୱପ୍ନ ଦେଖା ଯାଉଥିଲା, କିନ୍ତୁ ମାଟି ଉପରର ମଣିଷ ଯେ ବର୍ତମାନ ଶିଳ୍ପାୟନ ପାଇଁ ଅଧିକ ଉପଯୋଗୀ, ସେ କଥା ବିଜୁ ଜନତା ଦଳ ଭୁଲି ଯାଇଥିଲା ।

ଭାରତବର୍ଷରେ ବର୍ତମାନ ୧୫୭୫ ରୁ ୧୮୦୦ ମେଗାୱାଟର ଡାଟା ସେଂଟର ଅଛି । ମହାରାଷ୍ଟ୍ରରେ ୭୫୦ରୁ ୯୦୦, ତାମିଲନାଡୁରେ ୧୯୦ ରୁ ୩୨୦, ତେଲେଙ୍ଗାନାରୁ ୧୪୦ ରୁ ୧୬୦ ମେଗାୱାଟ, ଦିଲ୍ଲୀ ଏନ୍‌ସିଆର୍‌ରେ ୧୫୦ ରୁ ୧୯୦ ମେଗାୱାଟ, କର୍ଣ୍ଣାଟକରୁ ୧୦୦ ରୁ ୧୮୦ ମେଗାୱାଟର ଡାଟା ସେଂଟର ଅଛି । କିନ୍ତୁ ଦୁର୍ଭାଗ୍ୟକୁ ତତ୍କାଳୀନ ବିଜେଡି ସରକାର ସମୟରେ ଏଭଳି ଡାଟାସେଂଟର ମାତ୍ର ୫ ମେଗାୱାଟ ଥିଲା । ଏହି ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ କେବଳ ଗୋଟିଏ ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରି ୧୦୦୦ ମେଗାୱାଟର ଡାଟା ସେଂଟର ନିର୍ମାଣ ହେବ । ଡାଟା ସେଂଟାରରେ ଇଞ୍ଜିନିୟର୍ସ ଓ ଟେକ୍ନିକାଲ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳୁଥିବାବେଳ କୁଲିଙ୍ଗ ଇଣ୍ଡଷ୍ଟ୍ରି, କନ୍‌ଷ୍ଟ୍ରକସନ୍‌, ଇଲେକ୍ଟ୍ରିସିଟି, ରିନିଉଏବଲ, ରିଅଲ ଇଷ୍ଟେଟରେ ମଧ୍ୟ ପରୋକ୍ଷ ଭାବେ ବହୁ ନିଯୁକ୍ତିର ସୁଯୋଗ ସୃଷ୍ଟି କରେ । ତେଣୁ ରାଜ୍ୟରେ ଯେଉଁ ଖଣିଜ ଦ୍ରବ୍ୟ ରହିଛି, ତାହାରି ଉପରେ ନିର୍ଭର ନକରି କିଭଳି ଓଡ଼ିଶାକୁ ଜ୍ଞାନଭିତିକ ଶିଳ୍ପରେ ଆଗୁଆ କରାଯିବ ସେଥିପାଇଁ ଭାରତୀୟ ଜନତା ପାର୍ଟି ସରକାର ପ୍ରତିଶ୍ରୁତିବଦ୍ଧ । କିନ୍ତୁ ବିଜୁ ଜନତା ଦଳ ଅଯଥାରେ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି । “କହି ବୋଲି ପାରେ ଯେ ପଚା ଚିଙ୍ଗୁଡ଼ି ବିକେ ସେ” ଭଳି କଥାରେ ବିଶ୍ୱାସ ରଖୁଥିବା ବିଜେଡି ଜାଣିବା ଦରକାର ଯେ ସେ ଯୁଗ ଚାଲିଗଲାଣି । କେବେ ଜନସାଧାରଣଙ୍କ ସହ ମିଶୁନଥିବା ଦଳର ମୁଖିଆ ଏବେ ତାଙ୍କର କେତେଜଣ ନେତାଙ୍କ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଆଉ ଯେତେ ଭୁଆଁ ବୁଲାଇଲେ ବି ଲୋକେ ସତ୍ୟ କ’ଣ ଏବେ ବୁଝିଗଲେଣି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ନୂଆ ଆଶା ଓ ନୂଆ ସ୍ୱପ୍ନ ନେଇ ସରକାରଙ୍କୁ ଆସିଛନ୍ତି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ସ୍ୱପ୍ନକୁ ଯେଭଳି ସଫଳ କରାଯିବ, ସେଥିପାଇଁ ପରିଶ୍ରମ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଅନ୍ୟତମ ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଠ ମୁଖ୍ୟ ଶ୍ରୀ ତପନ କୁମାର ଚାନ୍ଦ କହିଛନ୍ତି ଯେ, ଶିଳ୍ପାୟନ କରିବା ପାଇଁ ବିବିଧତା ଆଣିବା, ଶିଳ୍ପାୟନର ଗତି ବଢ଼େଇବାରେ ତତ୍କାଳୀନ ବିଜେଡି ସରକାର ସ୍ଥାଣୁ ଥିଲେ । ୨୦୧୭ରେ ଚାନ୍ଦ ନାଲକୋର ଅଧ୍ୟକ୍ଷ ଥିଲାବେଳେ କମ୍ପାନୀ ଓଡ଼ିଶାରେ ୬୦୦୦ କୋଟି ଟଙ୍କାର କଷ୍ଟିକ ସୋଡ଼ା ପ୍ଲାଟ୍ ବସାଇବା ପାଇଁ ଯୋଜନା କରିଥିଲା । ଏହି ଯୋଜନାର ଦେଢ଼ ବର୍ଷ ପରେ ମଧ୍ୟ ତତ୍କାଳୀନ ବିଜେଡି ସରକାର କମ୍ପାନୀକୁ ଜମି ଦେଇପାରିନଥିଲେ । ଅଥଚ ଗୁଜୁରାଟ ସରକାର ଏଥପାଇଁ ୧୫ ଦିନ ଭିତରେ ଜମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିଥିଲେ । ଫଳରେ ଆଜି ଗୁଜୁରାଟର ଏହି ପ୍ଲାଂଟରେ ୧୨୦୦ ଲୋକ କାମ କରୁୁଛନ୍ତି । ବିଜେଡି ସରକାର ସମୟରେ ଗତ ୧୦ ବର୍ଷରେ ବର୍ଷକୁ ୩୭ଟି ହିସାବରେ ୩୭୦ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା । କିନ୍ତୁ ବର୍ତମାନର ବିଜେପି ସରକାର ୨ ବର୍ଷରେ ୧୫୧ଟି ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାଦ୍ୱାରା ଶିଳ୍ପାୟନର ଗତି ୨ ଗୁଣ ହୋଇପାରିଛି । ଆଜି ଓଡ଼ିଶାର ଶିଳ୍ପାୟନକୁ ଖଣି, ଧାତବ ଶିଳ୍ପରେ ବାନ୍ଧି ନରଖି ୧୨ଟି କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ ସିଷ୍ଟମ, ସେମିକଣ୍ଡକ୍ଟର, ସୋଲାର ସେଲ୍ସ, ମଡ୍ୟୁଲ୍ସ, ରିନିଉଏବଲ ଏନର୍ଜି, ଏୟାର ଟେକ୍ନୋଲୋଜି, ଜେମ୍ସ ଆଣ୍ଡ ଜ୍ୱେଲେରୀ, ଟେକ୍ସଟାଇଲ୍ସ, ରେଡିମେଡ୍ ଗାର୍ମେଟ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଡିଭାଇସେସ୍‌, ଗ୍ରୀନ୍ ଏନର୍ଜିରେ ଶିଳ୍ପାୟନ ଆରମ୍ଭ ହୋଇଛି ବୋଲି ଶ୍ରୀ ଚାନ୍ଦ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।


Reporterspen